ବ୍ୟବସାୟୀଙ୍କ ସୁରକ୍ଷା ନେଇ ଥାନାଧିକାରୀଙ୍କୁ ଭେଟିଲା ସିନାପାଲି ବ୍ୟବସାୟୀ ସଂଘ
ସିନାପାଲି,୧୮/୧୦(ଧର୍ମେନ୍ଦ୍ର କୁମାର ଗହିର)(ନିପ୍ର)ନୂଆପଡ଼ା ଜିଲ୍ଲା ସିନାପାଲି ଅଞ୍ଚଳରେ ଆଇନଶୃଙ୍ଖଳା ରକ୍ଷା ଓ ବ୍ୟବସାୟୀଙ୍କ ସୁରକ୍ଷାକୁ ନେଇ ସିନାପାଲି ବ୍ୟବସାୟୀ ସଂଘର ଏକ ପ୍ରତିନିଧି ଦଳ ନୂତନ ଥାନାଧିକାରୀ ମହେଶ୍ୱର ପାଣିଗ୍ରାହୀଙ୍କୁ ସାକ୍ଷାତ କରିଛନ୍ତି। ସଂଘର ସଭାପତି ପ୍ରଦୀପ କୁମାର ଜୈନଙ୍କ ନେତୃତ୍ୱରେ ପ୍ରତିନିଧି ଦଳ ଥାନାରେ ପହଞ୍ଚି ଆଇଆଇସି ଶ୍ରୀ ପାଣିଗ୍ରାହୀଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ଓ ଶୁଭେଚ୍ଛା ଜଣାଇଥିଲେ। ଏହି ଅବସରରେ ସିନାପାଲି ବଜାରରେ ବ୍ୟବସାୟୀଙ୍କ ସୁରକ୍ଷା, ଅପରାଧ ନିୟନ୍ତ୍ରଣ ଓ ଶାନ୍ତିଶୃଙ୍ଖଳା ବଜାୟ ରଖିବା ସମ୍ପର୍କରେ ଆଲୋଚନା ହୋଇଥିଲା। ବିଶେଷକରି ରାତ୍ରିକାଳୀନ ପୁଲିସ ପାଟ୍ରୋଲିଂକୁ କଡ଼ାକଡ଼ି କରିବା ସହ ବଜାର ଅଞ୍ଚଳରେ ସୁରକ୍ଷିତ ବ୍ୟବସାୟିକ ପରିବେଶ ସୁନିଶ୍ଚିତ କରିବାକୁ ସଂଘ ପକ୍ଷରୁ ଗୁରୁତ୍ୱ ଦିଆଯାଇଥିଲା। ଏଥିସହ ବଜାରରେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲେ ବ୍ୟବସାୟୀ ସଂଘ ଓ ପୁଲିସ ମଧ୍ୟରେ ତ୍ୱରିତ ଯୋଗାଯୋଗ ଏବଂ ସମନ୍ୱୟ ରକ୍ଷା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ପୁଲିସ ପ୍ରଶାସନ ପକ୍ଷରୁ ବ୍ୟବସାୟୀଙ୍କ ସୁରକ୍ଷା ଓ ଆଇନଶୃଙ୍ଖଳା ରକ୍ଷା ଦିଗରେ ଆବଶ୍ୟକ ସହଯୋଗର ଆଶ୍ୱାସନ ମିଳିଥିବା ଜଣାପଡ଼ିଛି।
ଏହି ପ୍ରତିନିଧି ଦଳରେ ସଂଘର କର୍ମକର୍ତ୍ତା ହରିଓମ୍ ଜିନ୍ଦଲ, ପିୟୂଷ ପଟେଲ, ବିବେକାନନ୍ଦ ମେହେର, ଜଗା ମେହେର, ହରେ ମେହେର ଓ ବିନ୍ଦୁ ସାଗର ମେହେରଙ୍କ ସମେତ ଅନ୍ୟାନ୍ୟ ବ୍ୟବସାୟୀ ଉପସ୍ଥିତ ଥିଲେ। ବ୍ୟବସାୟୀ ସଂଘ ଓ ପୁଲିସ ମଧ୍ୟରେ ସମନ୍ୱୟ ମଜବୁତ ହେଲେ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ଆହୁରି ସୁଦୃଢ଼ ହେବ ବୋଲି ଆଶା ପ୍ରକାଶ ପାଇଛି ।
