*ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ*
ଢେଙ୍କାନାଳ (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ ଭଞ୍ଜଦୂତ ଖବର )୧୫ ଅକ୍ଟୋବର ୨୦୨୬:
ଢେଙ୍କାନାଳ ଜିଲ୍ଲାରେ ସଡ଼କ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ଓ ଦୁର୍ଘଟଣା ରୋକିବା ଉଦ୍ଦେଶ୍ୟରେ ଆଜି ଅପରାହ୍ନରେ ସଦ୍ଭାବନା ହଲ୍ଠାରେ ଜିଲ୍ଲାସ୍ତରୀୟ ସଡ଼କ ସୁରକ୍ଷା କମିଟି ବୈଠକ ଜିଲ୍ଲାପାଳ ଶ୍ରୀ ଆଶିଷ ଈଶ୍ୱର ପାଟିଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି।
ବୈଠକରେ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଅଜିଙ୍କ୍ୟ ବାବୁରାଓ ମାନେ, ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ଶିବାଶିଷ ସାହୁ, ଅଧୀକ୍ଷଣ ଯନ୍ତ୍ରୀ (ଆର ଆଣ୍ଡ୍ ବି ) ଶ୍ରୀ ଜୟନ୍ତ ପ୍ରସାଦ ନାୟକଙ୍କ ସମେତ ଅନ୍ୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।
ବୈଠକରେ ସହରର ବିଭିନ୍ନ ଦୁର୍ଘଟଣାପ୍ରବଣ ଅଞ୍ଚଳରେ ସଡ଼କ ସୁରକ୍ଷା ବ୍ୟବସ୍ଥା, ଆଲୋକୀକରଣ ଓ ଜଳ ନିଷ୍କାସନ ସମସ୍ୟା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା।
ଢେଙ୍କାନାଳ କଲେଜ ବାଇପାସ୍ ନିକଟରେ ଦେଖାଦେଉଥିବା ଜଳବନ୍ଦୀ ସମସ୍ୟା ଉପରେ ବିଶେଷ ଭାବେ ଆଲୋଚନା କରାଯାଇଥିଲା। ଆସନ୍ତା ଲକ୍ଷ୍ମୀପୂଜା ପୂର୍ବରୁ ଏହି ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ଜାତୀୟ ରାଜପଥ ପ୍ରାଧିକରଣ (NHAI)କୁ କୁହାଯାଇଛି। ସେହିପରି ଲକ୍ଷ୍ମୀପୂଜାକୁ ଦୃଷ୍ଟିରେ ରଖି କୋରିଆଁ ଛକରୁ ଗୋବିନ୍ଦପୁର ପର୍ଯ୍ୟନ୍ତ ରାସ୍ତାରେ ଆବଶ୍ୟକୀୟ ଆଲୋକୀକରଣ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ଆଲୋଚନା ହୋଇଥିଲା।
ଜାତୀୟ ରାଜପଥ-୫୫ (NH-55)ରେ ବର୍ତ୍ତମାନ ସ୍ଥାପିତ ସ୍ପିଡ୍ ଡିଟେକ୍ସନ୍ କ୍ୟାମେରା ଭଳି ବ୍ୟବସ୍ଥା ଜାତୀୟ ରାଜପଥ-୫୩ (NH-53)ରେ ମଧ୍ୟ କାର୍ଯ୍ୟକାରୀ କରିବା ପାଇଁ ପ୍ରସ୍ତାବ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଯିବ। ଏହାଦ୍ୱାରା ଦ୍ରୁତଗତିରେ ଗାଡ଼ି ଚାଳନା ଉପରେ ନିୟନ୍ତ୍ରଣ ରଖିବା ସହ ସଡ଼କ ଦୁର୍ଘଟଣା ହ୍ରାସ କରିବାରେ ସହାୟକ ହେବ
ଏଥିସହ ଦୁର୍ଘଟଣାପ୍ରବଣ ସ୍ଥାନଗୁଡ଼ିକରେ ସୂଚନା ଫଳକ, ରୋଡ୍ ମାର୍କିଂ ଓ ଗତି ନିୟନ୍ତ୍ରଣ ବ୍ୟବସ୍ଥା, ବିଦ୍ୟାଳୟ ନିକଟରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା, ଜାତୀୟ ରାଜପଥ କଡ଼ରୁ ବେଆଇନ ଜବରଦଖଲ ଉଚ୍ଛେଦ ଏବଂ ରାସ୍ତାକଡ଼ ଡ୍ରେନ୍ ସଫେଇ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ସମ୍ପୃକ୍ତ ବିଭାଗଗୁଡ଼ିକୁ ଆବଶ୍ୟକୀୟ ପଦକ୍ଷେପ ନେବାକୁ କୁହାଯାଇଥିଲା।
ବୈଠକରେ ସଡ଼କ ଦୁର୍ଘଟଣା ସମୟରେ ଆହତଙ୍କୁ ସହାୟତା କରି ମାନବିକତାର ପରିଚୟ ଦେଇଥିବା ତିନିଜଣ ଉତ୍ତମ ସମରିଟାନ୍ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ସେହିପରି ସେବା ସଂକଳ୍ପ ଅଭିଯାନ ଅବସରରେ ଆୟୋଜିତ ସ୍ଲୋଗାନ୍ ଓ ଚିତ୍ରାଙ୍କନ ପ୍ରତିଯୋଗିତାର ସଫଳ ହେଇଥିବା ଛାତ୍ରଛାତ୍ରୀ ମାନଙ୍କୁ ବୈଠକରେ ପୁରସ୍କୃତ କରାଯାଇଥିଲା।
