ଇଣ୍ଡିଆ ମେଣ୍ଟର ଓଡ଼ିଶା ବନ୍ଦ ଆହ୍ୱାନ ମୟୂରଭଞ୍ଜରେ ସଫଳ, ବାରିପଦାରେ ଯାନବାହନ ଚଳାଚଳ ଠପ୍
*ବାରିପଦା, ତା ୦୮/୧୦ (ପିଏନଏସ) :* ଇଣ୍ଡି ମେଣ୍ଟ ପକ୍ଷରୁ ଆଜି ଦିଆଯାଇଥିବା ରାଜ୍ୟବ୍ୟାପୀ ୧୨ ଘଣ୍ଟିଆ ବନ୍ଦ ଡାକରର ପ୍ରଭାବ ମୟୂରଭଞ୍ଜ ଜିଲ୍ଲାରେ ବ୍ୟାପକ ଭାବେ ଦେଖିବାକୁ ମିଳିଛି।
କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ଇଣ୍ଡିଆ ମେଣ୍ଟ ପକ୍ଷରୁ ୪ଟି ପ୍ରମୁଖ ଦାବି ନେଇ ଏହି ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ କରାଯାଇଥିଲା। ଦାବି ଗୁଡ଼ିକ ହେଲା – *(୧) MMDR ସଂଶୋଧନ ଆଇନ-୨୦୨୬କୁ ରଦ୍ଦ, (୨) ଅଗଣତାନ୍ତ୍ରିକ ଓ ଏକଛତ୍ରବାଦୀ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦରୁ ବରଖାସ୍ତ ଓ ତାଙ୍କ ବିରୁଦ୍ଧରେ ଉଠିଥିବା ଅଭିଯୋଗର ସ୍ୱତନ୍ତ୍ର ତଦନ୍ତ, (୩) ରାଜ୍ୟର ଅବନତିଶୀଳ ଶିକ୍ଷା ବ୍ୟବସ୍ଥା ପାଇଁ ଅପାରଗ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଏବଂ (୪) ବନ୍ୟା ପ୍ରଭାବିତ ଜନଗଣଙ୍କୁ ତୁରନ୍ତ ସଠିକ୍ କ୍ଷତିପୂରଣ ଓ ସହାୟତା ପ୍ରଦାନ।*
ଜିଲ୍ଲା ସଦର ମହକୁମା ବାରିପଦାରେ ବନ୍ଦର ପ୍ରଭାବ ସବୁଠୁ ଅଧିକ ଦେଖିବାକୁ ମିଳିଛି। ସହରରେ ବସ୍ ସମେତ ବିଭିନ୍ନ ଯାନବାହନ ଚଳାଚଳ ବନ୍ଦ ରହିଥିବା ବେଳେ ଦୋକାନ ବଜାର ଓ ଶିକ୍ଷାନୁଷ୍ଠାନ ମଧ୍ୟ ବନ୍ଦ ରହିଥିଲା। ବାରିପଦା ସହର ଦେଇ ଯାଇଥିବା ଜାତୀୟ ରାଜପଥ-୧୮ର ପାଲବଣୀ ଓ ଦାମୋଦରପୁର ଛକ ନିକଟରେ ଇଣ୍ଡି ମେଣ୍ଟର କର୍ମୀମାନେ ପିକେଟିଂ କରି ବିଭିନ୍ନ ଯାନବାହନକୁ ଅଟକାଇଥିଲେ। ଫଳରେ ରାସ୍ତା କଡରେ ଶହ ଶହ ଗାଡି ଛିଡା ହୋଇ ରହିଥିଲା। ସହରର ବିଭିନ୍ନ ସ୍ଥାନରେ କର୍ମୀମାନେ ଶାନ୍ତି ଶୃଙ୍ଖଳାର ସହ ପିକେଟିଂ କରୁଥିବା ଦେଖାଯାଇଛି।
ବନ୍ଦ ଯୋଗୁଁ ରାସ୍ତାଘାଟରେ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଥିବା ବେଳେ ସାଧାରଣ ଜନଜୀବନ ମଧ୍ୟ ପ୍ରଭାବିତ ହୋଇଛି। ତେବେ କୌଣସି ଅପ୍ରୀତିକର ପରିସ୍ଥିତି ଏଡ଼ାଇବା ପାଇଁ ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ ହେବା ସହ ପେଟ୍ରୋଲିଂକୁ କଡାକଡି କରାଯାଇଥିଲା।
ବନ୍ଦକୁ ନେଇ ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ ସଭାପତି *ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ*, ଇଣ୍ଡି ବ୍ଲକର ସହଯୋଗୀ ଦଳ CPIର ଜିଲ୍ଲା ସମ୍ପାଦକ *ଜଗବନ୍ଧୁ ମିଶ୍ର*, CPMର *ରବି ଗୋସ୍ୱାମୀ* ପ୍ରମୁଖ ଜିଲ୍ଲାର ଜନଗଣଙ୍କୁ କୃତଜ୍ଞତା ଜଣାଇ କହିଛନ୍ତି ଯେ, ଯଥାର୍ଥ ଦାବିକୁ ନେଇ ଏହି ବନ୍ଦ ଡାକରା ଦିଆଯାଇଥିବାରୁ ଲୋକମାନେ ଏହାକୁ ଗ୍ରହଣ କରିଛନ୍ତି।
