ଗାନ୍ଧୀ ଜୟନ୍ତୀରେ ‘ସ୍ୱଚ୍ଛ ସତ୍ୟବାଦୀ’ ଅଭିଯାନ
ସତ୍ୟବାଦୀ, ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ସାକ୍ଷୀଗୋପାଳ ଅଞ୍ଚଳରେ ବୃହତ୍ ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଛି। ସତ୍ୟବାଦୀ ତହସିଲ, ଥାନା, ବ୍ଲକ ପ୍ରଶାସନ, ଓଡ଼ିଆ ବିଶ୍ୱବିଦ୍ୟାଳୟ ଓ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନର ମିଳିତ ଆନୁକୂଲ୍ୟରେ ‘ଆମ ସତ୍ୟବାଦୀ; ସ୍ୱଚ୍ଛ ସତ୍ୟବାଦୀ’ ଅଭିଯାନର ଶୁଭାରମ୍ଭ କରାଯାଇଛି। ବସ୍ଷ୍ଟାଣ୍ଡ ନିକଟସ୍ଥ ପଞ୍ଚସଖାଙ୍କ ସ୍ମୃତିପୀଠରେ ପ୍ରଥମେ ମାଲ୍ୟାର୍ପଣ କରାଯାଇଥିଲା। ଏହାପରେ ପଞ୍ଚସଖା ପୀଠରୁ ସାକ୍ଷୀଗୋପାଳ ମନ୍ଦିର ପର୍ଯ୍ୟନ୍ତ ବ୍ୟାପକ ସଫେଇ କାର୍ଯ୍ୟ କରାଯାଇଥିଲା। ସ୍ୱଚ୍ଛତା ପ୍ରତି ସଚେତନତାର ବାର୍ତ୍ତା ଦେବା ଉଦ୍ଦେଶ୍ୟରେ ସତ୍ୟବାଦୀ ବିଡିଓ, ତହସିଲଦାର ଓ ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳପତି ମଧ୍ୟ ସଫେଇ କାର୍ଯ୍ୟରେ ସାମିଲ ହୋଇଥିଲେ। ଅଭିଯାନରେ ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳପତି ସତ୍ୟନାରାୟଣ ଆଚାର୍ଯ୍ୟ, ସତ୍ୟବାଦୀ ତହସିଲଦାର ସନ୍ତୋଷ କୁମାର ପାଣିଗ୍ରାହୀ, ବିଡିଓ ଦେବାଶିଷ ନାୟକ, ଅତିରିକ୍ତ ତହସିଲଦାର ଓମ ପ୍ରକାଶ ପରିଡ଼ା ଓ ଅର୍ପିତା ସେନାପତିଙ୍କ ସମେତ ସତ୍ୟବାଦୀ ଥାନାର ପୋଲିସ କର୍ମଚାରୀମାନେ ଯୋଗଦେଇଥିଲେ। ଏଥିସହ ଓଡ଼ିଆ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଧ୍ୟାପକ, ସତ୍ୟବାଦୀ ବିଦ୍ୟାଳୟର ଏନ୍ସିସି ଓ ସ୍କାଉଟ୍ ଛାତ୍ର, ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଶିକ୍ଷକ-ଶିକ୍ଷୟିତ୍ରୀ, ସ୍ଥାନୀୟ ଶିକ୍ଷାବିତ୍, ସ୍ୱେଚ୍ଛାସେବୀ ସଂଗଠନ, ଆଇନଜୀବୀ, ଗଣମାଧ୍ୟମ ପ୍ରତିନିଧି, ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ ଓ ସାମାଜିକ କର୍ମୀମାନେ ଯୋଗଦେଇଥିଲେ। ସତ୍ୟବାଦୀ ଅଞ୍ଚଳକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ଉଦ୍ଦେଶ୍ୟରେ ଏହି ସ୍ୱଚ୍ଛତା ଅଭିଯାନ ନିୟମିତ ବ୍ୟବଧାନରେ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
