ସୋରରେ ଜାତୀୟ ରାଜପଥ ଜବରଦଖଲ ଉଚ୍ଛେଦ: ପ୍ରଶାସନର କଡ଼ା ଚେତାବନୀ
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର):::: ସୋର ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ଵରେ ଗଢି ଉଠିଥିବା ବେଆଇନ ଜବରଦଖଲ ବିରୁଦ୍ଧରେ ପ୍ରଶାସନ କଠୋର ହୋଇଛି। ବାରମ୍ବାର ନୋଟିସ୍ ଏବଂ ବାରଣ ସତ୍ତ୍ବେ କେତେକ ଅମାନିଆ ବ୍ୟବସାୟୀ ରାସ୍ତାକଡ଼ ମାଡି ବସିଥିବାରୁ ଆଜି ପ୍ରଶାସନ ପକ୍ଷରୁ ଜେସିବି ଲଗାଇ ବ୍ୟାପକ ଉଚ୍ଛେଦ ଅଭିଯାନ କରାଯାଇଛି।ରାଜପଥ କଡ଼ରୁ ଏହି ଜବରଦଖଲ ହଟିବା ଫଳରେ ରାସ୍ତା କାମ ତ୍ୱରାନ୍ୱିତ ହେବା ସହ ଦୈନନ୍ଦିନ ଘଟୁଥିବା ଦୁର୍ଘଟଣା ଏବଂ ଧନଜୀବନ ହାନିର ମାତ୍ରା କମିବ ବୋଲି ସାଧାରଣରେ ଆଶା ପ୍ରକାଶ ପାଇଛି। ସ୍ଥାନୀୟ ଲୋକଙ୍କ ବାରମ୍ବାର ଅଭିଯୋଗକୁ ଭିତ୍ତିକରି ପ୍ରଶାସନ ଏହି ପଦକ୍ଷେପ ଗ୍ରହଣ କରିଛି। ଆଜି ମଧ୍ୟାହ୍ନରେ ସୋର ତହସିଲଦାର କୃଷ୍ଣ ମୋହନ ସିଂହ ଏବଂ ଅତିରିକ୍ତ ତହସିଲଦାର ସଂଜୀବ କୁମାର ପାତ୍ରଙ୍କ ନେତୃତ୍ୱରେ ସୋର ପୁଲିସ ବାହିନୀର ସହଯୋଗରେ ଉତ୍ତରେଶ୍ବର ର ଉଭୟ ପାର୍ଶ୍ବରେ ଏହି କଡ଼ା କାର୍ଯ୍ୟାନୁଷ୍ଠାନ ଜବରଦଖଲ କାରୀ ଙ୍କ ଉପରେ ହୋଇଥିଲା। ରାସ୍ତାକଡ଼ରୁ ବେଆଇନ କବ୍ଜା ହଟାଇବା ପରେ ପ୍ରଶାସନ ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି ଯେ, ଆଗାମୀ ଦିନରେ ଯେଉଁମାନେ ପୁଣି ସରକାରୀ ଜାଗା ଜବରଦଖଲ କରିବାକୁ ଚେଷ୍ଟା କରିବେ, ସେମାନଙ୍କ ବିରୁଦ୍ଧରେ ଆଇନଗତ ଭାବରେ ଅଧିକ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
