*୬୫ତମ ସାହାଣୀ କପ୍ ଫୁଟବଲ୍: କନ୍ଧମାଳକୁ ହରାଇ ସମ୍ବଲପୁର ଜୋନ୍ ଚାମ୍ପିଅନ୍ *
ନୂଆପଡ଼ା(ମିଖାଏଲ ନନ୍ଦ)
ତା-୩୦ ସେପ୍ଟେମ୍ବର:
ସ୍ଥାନୀୟ ଜିଲ୍ଲା ମିନି ଷ୍ଟାଡିୟମ୍ରେ ଫୁଟବଲ୍ ଆସୋସିଏସନ୍ ଅଫ୍ ଓଡ଼ିଶା (FAO) ଆନୁକୂଲ୍ୟରେ ଚାଲିଥିବା ୬୫ତମ ବରିଷ୍ଠ ପୁରୁଷ ଆନ୍ତଃଜିଲ୍ଲା ଫୁଟବଲ୍ ପ୍ରତିଯୋଗିତା ‘ସାହାଣୀ କପ୍ ୨୦୨୬-୨୭’ର ନୂଆପଡ଼ା ଜୋନ୍ ଫାଇନାଲ ମ୍ୟାଚ୍ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଏକ ରୋମାଞ୍ଚକର ଫାଇନାଲ୍ ମୁକାବିଲାରେ ସମ୍ବଲପୁର ଦଳ କନ୍ଧମାଳକୁ ୧-୦ ଗୋଲ୍ରେ ପରାସ୍ତ କରି ନୂଆପଡ଼ା ଜୋନ୍ ବିଜୟୀ ହୋଇଛି। ଉଦ୍ଯାପନୀ ତଥା ଫାଇନାଲ୍ ମ୍ୟାଚ୍ରେ ମୁଖ୍ୟ ଅତିଥି ଭାବେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଜିଲ୍ଲାର କ୍ରୀଡ଼ା ଭିତ୍ତିଭୂମିର ବିକାଶ ଉପରେ ଗୁରୁତ୍ୱ ଦେଇ ସେ କହିଥିଲେ ଯେ, ନୂଆପଡ଼ା ଏବଂ ଖଡ଼ିଆଳଠାରେ ସ୍ପୋର୍ଟ୍ସ ହଷ୍ଟେଲ ନିର୍ମାଣ ସହିତ ଫୁଟବଲ୍ ହବ୍ ପ୍ରତିଷ୍ଠା କରିବା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରାଯିବ।
ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବେ ପୂର୍ବତନ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା, ସମ୍ମାନିତ ଅତିଥି ଭାବେ ଖରିଆର ରୋଡ୍ ଏନ୍ଏସି ଅଧ୍ୟକ୍ଷା ଡଃ ସୋନିଆ ଜୈନ ଏବଂ ବିଜେଡି ଜିଲ୍ଲା ସଭାପତି ଅବନୀ ଯୋଶୀ ଉପସ୍ଥିତ ଥିଲେ।
ଜିଲ୍ଲା ଫୁଟବଲ୍ ସଂଘର ସଭାପତି ଭୈରବ ସାହୁ, ସମ୍ପାଦକ ପ୍ରକାଶ ସାହୁ ଓ ଉପସଭାପତି ସୁଧୀର ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଟୁର୍ଣ୍ଣାମେଣ୍ଟଟି ସୁଚାରୁରୂପେ ପରିଚାଳିତ ହୋଇଥିଲା। ଶେଷରେ ଅତିଥିମାନେ ବିଜୟୀ ଓ ଉପ-ବିଜୟୀ ଦଳକୁ ଟ୍ରଫି ପ୍ରଦାନ କରି ପୁରସ୍କୃତ କରିଥିଲେ। ମ୍ୟାଚ୍ ଦେଖିବା ପାଇଁ ଷ୍ଟାଡିୟମ୍ରେ ବହୁ ସଂଖ୍ୟାରେ ଫୁଟବଲ୍ ପ୍ରେମୀ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ।
