ସୋରରେ ଅବକାରୀ ବିଭାଗ ର ଚଢାଉ: ୧୩୫ ଲିଟର ଦେଶୀ ମଦ ଜବତ, ୩ ଗିରଫ
ସୋର (ଭଞ୍ଜଦୂତ ଜ୍ୟୋତିପ୍ରକାଶ ଦୀକ୍ଷିତ ନିପ୍ର):: ସୋରରେ ଅବକାରୀ ବିଭାଗ ତରଫରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ୧୩୫ ଲିଟର ଦେଶୀ ମଦ ଜବତ ସହ ୩ ଜଣଙ୍କୁ ଗିରଫ କରିଛି ସୋର ଅବକାରୀ ବିଭାଗ। ସୂଚନାଯୋଗ୍ୟ ବାଲେଶ୍ୱର ଜିଲ୍ଲା ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ସୋର ଅବକାରୀ ଥାନା ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ବେଆଇନ୍ ଦେଶୀ ମଦ ଜବତ କରାଯିବା ସହ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ସୋର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରିଣୀ ଅନିତା ସାହୁ, ସହ-ଉପ ନିରୀକ୍ଷକ ବସନ୍ତ କୁମାର ବାରିକ ଏବଂ ଅନ୍ୟାନ୍ୟ କର୍ମଚାରୀ ମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ଏହି ଟିମ୍ ସୋର ଥାନା ଅନ୍ତର୍ଗତ ହାତୀଗଡ଼ିଆ, କେଶରୀପୁର ଏବଂ ମାଣତ୍ରୀ ଅଞ୍ଚଳରେ ଚଢ଼ାଉ ଚଳାଇଥିଲେ। ହାତୀଗଡ଼ିଆ ଗ୍ରାମର ବିଜୟ ନାୟକଙ୍କ ନିକଟରୁ ୬୦ ଲିଟର ଦେଶୀ ମଦ ଜବତ କରାଯାଇଛି।କେଶରୀପୁର ଗ୍ରାମର ଉମାକାନ୍ତ ମଲ୍ଲିକଙ୍କ ନିକଟରୁ ୪୦ ଲିଟର ଦେଶୀ ମଦ ଜବତ କରାଯାଇଛି। ମାଣତ୍ରୀ ଗ୍ରାମର ପ୍ରଭାକର ବେହେରାଙ୍କ ନିକଟରୁ ୩୫ ଲିଟର ଦେଶୀ ମଦ ଜବତ କରାଯାଇଛି। ଚଢ଼ାଉ ସମୟରେ ମୋଟ ୧୩୫ ଲିଟର ଦେଶୀ ମଦ ଜବତ କରାଯିବା ସହିତ ଉପରୋକ୍ତ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ଏବଂ ଆଜି ସମସ୍ତଙ୍କୁ କେଶ ନମ୍ବର ୧୭୦,୧୭୧, ୧୭୨/୨୬-୨୭ ମୂଳେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆଗାମୀ ଦିନରେ ଏଭଳି ଚଢ଼ାଉ ଜାରି ରହିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।
