ମୟୂରଭଞ୍ଜରେ ବନ୍ୟା ସ୍ଥିତି ଗମ୍ଭୀର
:- ଜଳବନ୍ଦୀ ଅନେକ ଗାଁ
:- ୨ ମୃତ, ୭ ବ୍ଲକରେ ସ୍କୁଲ ଛୁଟି ଘୋଷଣା
ବେତନଟୀ : ଲଗାଣ ବର୍ଷା ଯୋଗୁଁ ମୟୂରଭଞ୍ଜ ଜିଲ୍ଲାରେ ବନ୍ୟା ପରିସ୍ଥିତି ସଙ୍ଗିନ ରୂପ ଧାରଣ କରିଛି। ଜିଲ୍ଲାର ପ୍ରମୁଖ ନଦୀଗୁଡ଼ିକର ଜଳସ୍ତର ବିପଦସଙ୍କୁଳ ଭାବେ ବୃଦ୍ଧି ପାଇବା ଫଳରେ ବହୁ ତଳିଆ ଅଞ୍ଚଳ ଜଳମଗ୍ନ ହୋଇପଡ଼ିଛି। ବନ୍ୟା ଓ ବର୍ଷା ଜନିତ କାନ୍ଥ ପଡ଼ି ଦୁଇ ଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ବ୍ୟାପକ ଧନଜୀବନ କ୍ଷୟକ୍ଷତି ଘଟିଛି। ସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ୭ଟି ବ୍ଲକର ସମସ୍ତ ବିଦ୍ୟାଳୟ ବନ୍ଦ ରଖିବା ସହ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଛି। ଗୁରୁବାର ରାତିରୁ ଆରମ୍ଭ ହୋଇଥିବା ପ୍ରବଳ ବର୍ଷା ଯୋଗୁଁ ବୁଢ଼ାବଳଙ୍ଗ, ଦେଓ, ଗଙ୍ଗାହାର, ନାଲୁହା, ସୋନ, ଖଡ଼ଖାଇ, ପଳପଳା, ଜମ୍ଭୀରା ଓ ଶାଳନ୍ଦୀ ନଦୀର ଜଳସ୍ତର ହଠାତ୍ ବୃଦ୍ଧି ପାଇଛି। ଦେଓ ନଦୀର ବନ୍ୟାଜଳ ଦୁଗୁଧା ଅଞ୍ଚଳରେ ପ୍ରବେଶ କରି ବ୍ୟାପକ କ୍ଷତି ଘଟାଇଛି। ଖୁଣ୍ଟା ଅଞ୍ଚଳର ଏକ ବିଦ୍ୟାଳୟରେ ପାଣି ପଶିଯିବାରୁ ପ୍ରଶାସନ ପକ୍ଷରୁ ୨୫୦ ଜଣ ଛାତ୍ରଛାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ସେହିପରି ବନ୍ୟାପାଣିରେ ଏକ କାର୍ ଭାସିଯାଉଥିବା ବେଳେ ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ଦୁଇଜଣ ଯାତ୍ରୀଙ୍କ ଜୀବନ ରକ୍ଷା ପାଇଛି। ବଡ଼ସାହି ବ୍ଲକର ଭୀମଦା, ଛେଳିଆ, ମାନଗୋବିନ୍ଦପୁର ଓ ଶାଳଗାଁ ଭଳି ପଞ୍ଚାୟତ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ଜଳବନ୍ଦୀ ଅବସ୍ଥାରେ ରହିଛି। ଅନେକ ସ୍ଥାନରେ ମାଟିକାନ୍ଥ ଭୁଶୁଡ଼ି ପଡ଼ିଥିବା ବେଳେ ଗୃହପାଳିତ ପଶୁଙ୍କ ଜୀବନହାନି ଘଟିଛି। ଗତ ଦୁଇ ମାସ ମଧ୍ୟରେ ଚତୁର୍ଥ ଥର ପାଇଁ ବନ୍ୟା ଆସିଥିବାରୁ ଏକର ଏକର ଧାନ ଫସଲ ନଷ୍ଟ ହୋଇ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଯାଇଛି। ଅନ୍ୟପଟେ, ବନ୍ୟା ସମୟରେ ଅଘୋଷିତ ବିଦ୍ୟୁତ୍ କାଟକୁ ନେଇ ମାଣତ୍ରୀଠାରେ ଉତ୍ତେଜନା ସହ ରାସ୍ତାରୋକ ହୋଇଥିଲା, ଯାହା ପ୍ରଶାସନର ହସ୍ତକ୍ଷେପ ପରେ ଶାନ୍ତ ପଡ଼ିଛି।
ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ବେତନଟୀ, ବଡ଼ସାହି, ଖୁଣ୍ଟା, ଉଦଳା, କପ୍ତିପଦା, ଠାକୁରମୁଣ୍ଡା ଏବଂ ଗୋପବନ୍ଧୁନଗର ବ୍ଲକର ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି। ବିପନ୍ନମାନଙ୍କୁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇ ରନ୍ଧାଖାଦ୍ୟ ଓ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି। ପୂର୍ଣ୍ଣିମା ପକ୍ଷ କାରଣରୁ ସମୁଦ୍ରରେ ଜୁଆର ରହିଥିବାରୁ ନଦୀରୁ ଜଳ ନିଷ୍କାସନ ମନ୍ଥର ରହିଛି। ଆଗକୁ ଆହୁରି ବର୍ଷା ହେବାର ସମ୍ଭାବନା ଥିବାରୁ ନଦୀକୂଳିଆ ତଥା ତଳିଆ ଅଞ୍ଚଳବାସୀଙ୍କ ମଧ୍ୟରେ ବଡ଼ ବନ୍ୟାର ଆତଙ୍କ ଲାଗିରହିଛି। ଜିଲ୍ଲା ପ୍ରଶାସନ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିବା ସହ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି।
