*ବିଶ୍ୱ ପର୍ଯ୍ୟଟନ ଦିବସ ଉପଲକ୍ଷେ ନୂଆପଡ଼ାରେ ଜିଲ୍ଲାସ୍ତରୀୟ ସଚେତନତା ମାରାଥନ୍ (ପ୍ରମୋ ରନ୍) ଅନୁଷ୍ଠିତ*
ନୂଆପଡ଼ା(ମିଖାଏଲ ନନ୍ଦ)
ତା.୨୭/୦୯:
ବିଶ୍ୱ ପର୍ଯ୍ୟଟନ ଦିବସ-୨୦୨୬ ଅବସରରେ ନୂଆପଡ଼ାରେ ଜିଲ୍ଲାସ୍ତରୀୟ ସଚେତନତା ମାରାଥନ୍ (ପ୍ରମୋ ରନ୍) ଅନୁଷ୍ଠିତ ହୋଇଯାଇଛିl ଜିଲ୍ଲାପାଳ ମଧୁସୂଦନ ଦାଶ ମୁଖ୍ୟାଳୟ ପରିସରରୁ ଏହି ମାରାଥନକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।
ଏହି ପ୍ରମୋ ରନ୍ ବିଜୁ ପଟ୍ଟନାୟକ ଇନ୍ଡୋର ଷ୍ଟାଡିୟମ୍ ପର୍ଯ୍ୟନ୍ତ ଯାଇ ପୁନର୍ବାର ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଫେରିଥିଲା। ଏଥିରେ ଶତାଧିକ ଛାତ୍ରଛାତ୍ରୀଙ୍କ ସମେତ ବିଭିନ୍ନ ବର୍ଗର ଅଂଶଗ୍ରହଣକାରୀ ଉତ୍ସାହର ସହ ଯୋଗଦେଇଥିଲେ।
ବାଳକ ବିଭାଗରେ ସରାବଙ୍ଗର ଦିନେଶ କୁମାର ରାଉତ ପ୍ରଥମ, ଦଳିମୁଣ୍ଡାର ଦିନେଶ ସତନାମୀ ଦ୍ୱିତୀୟ ଓ ଖରିଆରର ଟୁନା କୈବର୍ତ୍ତ ତୃତୀୟ ସ୍ଥାନ ହାସଲ କରିଥିଲେ। ବାଳିକା ବିଭାଗରେ କୋଡ଼ମେରୀର ଗୁଲାପ ରାଉତ ପ୍ରଥମ, ହଲଦୀର କେଶଲତା ପାଣ୍ଡେ ଦ୍ୱିତୀୟ ଓ ଧରମବନ୍ଧାର ଛାୟା ମାଝୀ ତୃତୀୟ ସ୍ଥାନ ଅଧିକାର କରିଥିଲେ।
ଜ଼ିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଏକ ସଭାରେ ବିଜେତାମାନଙ୍କୁ ପୁରସ୍କୃତ କରାଯାଇଥିଲା।
ଜ଼ିଲ୍ଲା ସ୍ତରରୁ ଅଂଶଗ୍ରହଣକାରୀମାନେ ଆସନ୍ତା ୧୩ ଡିସେମ୍ବର ୨୦୨୬ରେ ହେବାକୁ ଥିବା ପୁରୀ କୋଷ୍ଟାଲ ମାରାଥନ୍-୨୦୨୬ ରେ ଭାଗ ନେବେl
ଏହି ଅବସରରେ ଅତିରିକ୍ତ ଜ଼ିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଜିଲ୍ଲା ପରିଷଦର ଅତିରିକ୍ତ ନିର୍ବାହୀ ଅଧିକାରୀ କ୍ଷମାନିଧି ଭୋଇ, ଜିଲ୍ଲା କ୍ରୀଡ଼ା ଅଧିକାରୀ ରାଜେନ୍ଦ୍ର ବଢ଼େଇ, ଜିଲ୍ଲା ଶିକ୍ଷା ଅଧିକାରୀ ଡ. ପ୍ରଶାନ୍ତ ମହାନ୍ତି, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ରୋଶନ କୁମାର ଜେନା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମାକାନ୍ତ ବିଶ୍ୱାସ, ଜିଲ୍ଲା ସଂସ୍କୃତି ଅଧିକାରୀ ରମେଶ ମହରା ଓ ନୂଆପଡ଼ା ଏନ୍ଏସି ନିର୍ବାହୀ ଅଧିକାରୀ ସନ୍ଦୀପ କୁମାର ଚନ୍ଦ୍ରକାରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, ଛାତ୍ରଛାତ୍ରୀ ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।
