*ଶ୍ରୀଜଗନ୍ନାଥ ଦର୍ଶନ ଯୋଜନାରେ ନୂଆପଡ଼ାରୁ ୨୯୦ ତୀର୍ଥଯାତ୍ରୀଙ୍କ ଯାତ୍ରା ଆରମ୍ଭ*
ନୂଆପଡ଼ା(ମିଖାଏଲ ନନ୍ଦ)
, ତା.୨୭/୦୯:
ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା (SJDY) ଅଧୀନରେ ନୂଆପଡ଼ା ଜିଲ୍ଲାରୁ ୨୯୦ ଜଣ ତୀର୍ଥଯାତ୍ରୀଙ୍କ ପୁରୀ ଯାତ୍ରା ଆଜି ଶୁଭାରମ୍ଭ ହୋଇଛି। ମହୁଆଭଟାସ୍ଥିତ ପଥପ୍ରାନ୍ତ ସୁବିଧା କେନ୍ଦ୍ରଠାରେ ଆୟୋଜିତ ସମାରୋହରେ ଜିଲ୍ଲାପାଳ ମଧୁସୂଦନ ଦାଶ ସବୁଜ ପତାକା ଦେଖାଇ ତୀର୍ଥଯାତ୍ରୀଙ୍କ ଯାତ୍ରାର ଶୁଭାରମ୍ଭ କରିଥିଲେ।
ଏହି ପର୍ଯ୍ୟାୟରେ ତୀର୍ଥଯାତ୍ରୀମାନେ ୮ଟି ବସ୍ରେ ପୁରୀ ଯାଇ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବେ। ଯାତ୍ରାକୁ ସୁରକ୍ଷିତ ଓ ସୁବ୍ୟବସ୍ଥିତ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରିବହନ, ସ୍ୱାସ୍ଥ୍ୟ, ପାନୀୟଜଳ ସମେତ ଆବଶ୍ୟକ ବ୍ୟବସ୍ଥା କରାଯାଇଛି।
ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ନୂଆପଡ଼ା ବ୍ଲକ୍ ଅଧ୍ୟକ୍ଷା ତାରେଶ୍ୱରୀ ସାହୁ, ଖରିଆର ରୋଡ୍ ଏନ୍ଏସି ଅଧ୍ୟକ୍ଷା ଡ. ସୋନିଆ ଜୈନ, ଜିଲ୍ଲା କ୍ରୀଡ଼ା ଅଧିକାରୀ ରାଜେନ୍ଦ୍ର ବଢ଼େଇ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ରୋଶନ କୁମାର ଜେନାଙ୍କ ସମେତ ସମ୍ପୃକ୍ତ ବିଭାଗର ଅଧିକାରୀ ଓ କର୍ମଚାରୀ ଏବଂ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।
ଶ୍ରୀଜଗନ୍ନାଥ ଦର୍ଶନ ଯୋଜନାରେ ପୁରୀ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନର ସୁଯୋଗ ପାଇଥିବାରୁ ତୀର୍ଥଯାତ୍ରୀମାନଙ୍କ ମଧ୍ୟରେ ଆନନ୍ଦ ଓ ଉତ୍ସାହ ପ୍ରକାଶ ପାଇଥିଲା।
