ବିଶିଷ୍ଟ ରସାୟନ ବିଜ୍ଞାନୀ ପ୍ରଫେସର ଗୋପବନ୍ଧୁ ବେହେରାଙ୍କ ପରଲୋକ
ବିଶିଷ୍ଟ ରସାୟନ ବିଜ୍ଞାନୀ ପ୍ରଫେସର ଗୋପବନ୍ଧୁ ବେହେରାଙ୍କ ପରଲୋକ
(ଲାୟନ୍ ଡା. ରମେଶ ଅଗ୍ରୱାଲ୍, MJF:ନି:ପ୍ର)
ଓଡ଼ିଶାରେ ରସାୟନ ବିଜ୍ଞାନ ଗବେଷଣାର ବିକାଶରେ ଥିଲା ଅବିସ୍ମରଣୀୟ ଅବଦାନ
. ୨୨ା୯: ଓଡ଼ିଶାରେ ଆଧୁନିକ ରସାୟନ ବିଜ୍ଞାନ ଗବେଷଣାର ଅନ୍ୟତମ ପଥପ୍ରଦର୍ଶକ, ବିଶିଷ୍ଟ ଶିକ୍ଷାବିତ ଓ ରସାୟନ ବିଜ୍ଞାନୀ ପ୍ରଫେସର (ଡ଼.) ଗୋପବନ୍ଧୁ ବେହେରାଙ୍କ ୨୨ ସେପ୍ଟେମ୍ବର ୨୦୨୬ରେ ପରଲୋକ ଘଟିଛି। ତାଙ୍କ ବିୟୋଗରେ ଓଡ଼ିଶାର ଶିକ୍ଷା, ବିଜ୍ଞାନ ଓ ଗବେଷଣା କ୍ଷେତ୍ରରେ ଶୋକର ଛାୟା ଖେଳିଯାଇଛି।
୧୯୩୯ ମସିହା ଫେବୃଆରୀ ୩ ତାରିଖରେ କଳାହାଣ୍ଡି ଜିଲ୍ଲାର ଭୁର୍ସିଗୁଡ଼ା/ମାହିଚଲା ଗ୍ରାମରେ ଜନ୍ମଗ୍ରହଣ କରିଥିବା ଡ଼. ବେହେରା ରେଭେନ୍ସା କଲେଜରୁ ରସାୟନ ବିଜ୍ଞାନରେ ବି.ଏସ୍.ସି. (ଅନର୍ସ) କରି ୧୯୫୮ରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ପ୍ରଥମ ଶ୍ରେଣୀରେ ପ୍ରଥମ ହୋଇଥିଲେ। ୧୯୬୦ରେ ଏମ୍.ଏସ୍.ସି. ଏବଂ ୧୯୬୯ରେ ପ୍ରଫେସର ଏମ୍.କେ. ରାଉତଙ୍କ ତତ୍ତ୍ୱାବଧାନରେ ପିଏଚ୍.ଡି. ଡିଗ୍ରୀ ହାସଲ କରିଥିଲେ। ୧୯୭୮ରେ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ଡି.ଏସ୍.ସି. ଡିଗ୍ରୀ ପାଇଥିଲେ।
ପ୍ରାୟ ୩୯ ବର୍ଷର ଶିକ୍ଷାଦାନ ଜୀବନରେ ସେ ପୁରୀ ଏସ୍.ସି.ଏସ୍. କଲେଜ, ରେଭେନ୍ସା କଲେଜ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରିଥିଲେ। ୧୯୭୮ରୁ ୧୯୯୯ ପର୍ଯ୍ୟନ୍ତ ଦୀର୍ଘ ୨୧ ବର୍ଷ ଧରି ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ରସାୟନ ବିଜ୍ଞାନ ପ୍ରଫେସର ଭାବେ କାର୍ଯ୍ୟ କରି ବିଭାଗର ବିକାଶରେ ଅଗ୍ରଣୀ ଭୂମିକା ନେଇଥିଲେ।
ଜୈବ ସଂଶ୍ଳେଷଣ, ପୃଷ୍ଠ ରସାୟନ ଓ ରାସାୟନିକ ପ୍ରତିକ୍ରିୟାର ପ୍ରକ୍ରିୟାବିଜ୍ଞାନ ଥିଲା ତାଙ୍କର ପ୍ରମୁଖ ଗବେଷଣା କ୍ଷେତ୍ର। ତାଙ୍କର ୧୨୦ରୁ ଅଧିକ ଗବେଷଣା ପ୍ରବନ୍ଧ ଜାତୀୟ ଓ ଆନ୍ତର୍ଜାତୀୟ ପତ୍ରିକାରେ ପ୍ରକାଶ ପାଇଥିଲା। ପ୍ରତିଷ୍ଠିତ Chemical Reviews ପତ୍ରିକାରେ ତାଙ୍କ ଗବେଷଣା ପ୍ରବନ୍ଧ ପ୍ରକାଶିତ ହୋଇଥିଲା। ତାଙ୍କ ତତ୍ତ୍ୱାବଧାନରେ ୧୫ ଜଣ ଗବେଷକ ପିଏଚ୍.ଡି. ହାସଲ କରିଥିଲେ।
୧୯୮୫ରେ ସେ ଫୁଲବ୍ରାଇଟ୍ ସ୍କଲାର ଭାବେ ଆମେରିକା ଯାଇଥିଲେ। ୟୁନିଭର୍ସିଟି ଅଫ୍ ଫ୍ଲୋରିଡା ଓ ୟୁନିଭର୍ସିଟି ଅଫ୍ କାଲିଫର୍ଣ୍ଣିଆରେ ମଧ୍ୟ ତାଙ୍କର ଗବେଷଣାମୂଳକ ଅନୁଭବ ରହିଥିଲା।
ତାଙ୍କ ଅବଦାନ ପାଇଁ ୧୯୯୫ରେ V.S.R. Gupta Teacher of the Year Award, ୧୯୯୯ରେ କଳାହାଣ୍ଡି ଉତ୍ସବ ସମ୍ମାନ ଏବଂ ୨୦୧୧ରେ ଓଡ଼ିଶା ବିଜ୍ଞାନ ଏକାଡେମୀର Senior Scientist Award ପାଇଥିଲେ। ସେ ଓଡ଼ିଶା କେମିକାଲ୍ ସୋସାଇଟିର ସଭାପତି ଓ Indian Society of Surface Science and Technologyର ଉପସଭାପତି ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ।
ବିଜ୍ଞାନର ଲୋକପ୍ରିୟକରଣ ପାଇଁ ସେ +୨ କେମିଷ୍ଟ୍ରି ଓ +୩ ଅର୍ଗାନିକ୍ କେମିଷ୍ଟ୍ରି ପୁସ୍ତକ ରଚନା କରିଥିଲେ। ଏହା ସହିତ ଓଡ଼ିଆରେ ‘ବିଜ୍ଞାନ ଓ ମାନବିକ ମୂଲ୍ୟବୋଧ’ ପୁସ୍ତକ ଲେଖିଥିଲେ ଏବଂ ବିଭିନ୍ନ ଖବରକାଗଜ ଓ ପତ୍ରପତ୍ରିକାରେ ବିଜ୍ଞାନ ସମ୍ପର୍କିତ ଲେଖା ପ୍ରକାଶ କରୁଥିଲେ।
ତାଙ୍କ ସ୍ମୃତିରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ‘Prof. G. B. Behera Best Ph.D. Thesis Award’ ପ୍ରତିଷ୍ଠା କରାଯାଇଛି। ପ୍ରତିବର୍ଷ ଫେବୃଆରୀ ୩ ତାରିଖରେ ‘Prof. G. B. Behera Endowment Lecture’ ମଧ୍ୟ ଆୟୋଜିତ ହୋଇଥାଏ। ଶିକ୍ଷା, ଗବେଷଣା ଓ ବିଜ୍ଞାନ ପ୍ରଚାର କ୍ଷେତ୍ରରେ ତାଙ୍କ ଅବଦାନ ଚିରସ୍ମରଣୀୟ ହୋଇ ରହିବ।
