ଜୁଆ ଆଡ୍ଡା ଉପରେ ଚଢ଼ାଉ, ୫ ଅଭିଯୁକ୍ତ ଗିରଫ।
ଗଜପତି (ଟିକି ଲିମା)
ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ପୋଲିସ ପଦ୍ମାପୁର ଗ୍ରାମ ନିକଟସ୍ଥ ଏକ କାଜୁ ଜଙ୍ଗଲରେ ଚାଲିଥିବା ସଂଗଠିତ ଜୁଆ ଖେଳକୁ ଠାବ କରି ପାରଳାଖେମୁଣ୍ଡି ଥାନା କେସ୍ ନଂ. ୩୭୮/୨୦୨୬, ତା.୧୩.୦୯.୨୦୨୬, ଦଫା ୧୧୨(୨) BNS ସହ ଓଡ଼ିଶା ଜୁଆ ନିବାରଣ ଆଇନର ଦଫା ୩ ଅନୁଯାୟୀ ମାମଲା ରୁଜୁ କରିଛି। ବିଶ୍ୱସ୍ତ ସୂଚନା ଆଧାରରେ ୧୩.୦୯.୨୦୨୬ ତାରିଖ ସନ୍ଧ୍ୟା ପ୍ରାୟ ୫.୨୦ ମିନିଟ୍ ସମୟରେ ପୋଲିସ ଟିମ୍ ସେଠାରେ ଚଢ଼ାଉ କରିଥିଲା। ପ୍ରାୟ ୨୦ ଜଣ ବ୍ୟକ୍ତି ଟଙ୍କା ବାଜି ଲଗାଇ ତାସ ଖେଳୁଥିବା ବେଳେ ପୋଲିସକୁ ଦେଖି କେତେକ ବ୍ୟକ୍ତି ଜଙ୍ଗଲ ମଧ୍ୟକୁ ପଳାଇ ଯାଇଥିଲେ। ଘଟଣାସ୍ଥଳରୁ ପୋଲିସ ଗଙ୍ଗାଡା ଗଣେଶ (୫୦), ଏଚ୍ଚେର୍ଲା, ଜିଲ୍ଲା ଶ୍ରୀକାକୁଲମ, ଆନ୍ଧ୍ରପ୍ରଦେଶ; ଭାଙ୍ଗାପାଲି ଲକ୍ଷ୍ମୀ ନାରାୟଣ (୫୦), ହୀରାମଣ୍ଡଳମ, ଜିଲ୍ଲା ଶ୍ରୀକାକୁଲମ, ଆନ୍ଧ୍ରପ୍ରଦେଶ; ପୁନ୍ନାନା ମୋହନ ରାଓ (୪୦), ଜାମିଗାଁ, ପାରଳାଖେମୁଣ୍ଡି; ଗୌତମ ସାହୁ (୨୭), ପାରଳାଖେମୁଣ୍ଡି ଏବଂ ଏମ୍. ଶଙ୍କର (୩୨), ପାରଳାଖେମୁଣ୍ଡିଙ୍କୁ ଧରିଥିଲା। ଚଢ଼ାଉ ଓ ତଲାସି ସମୟରେ ଘଟଣାସ୍ଥଳରୁ ନଗଦ Rs. ୧,୬୨,୩୦୦/-, ୨ ପ୍ୟାକେଟ୍ ତାସ, ୫ଟି ମୋବାଇଲ୍ ଫୋନ୍ ଏବଂ ୩ଟି ମୋଟରସାଇକେଲ୍ ଜବତ କରାଯାଇଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ନିଛାଟିଆ ଜଙ୍ଗଲ ଓ କାଜୁ ବଗିଚା ଭଳି ସ୍ଥାନରେ ଏହି ଜୁଆ ଖେଳର ଆୟୋଜନ କରାଯାଉଥିଲା ଏବଂ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ବିଭିନ୍ନ ବ୍ୟକ୍ତି ଟଙ୍କା ବାଜି ଲଗାଇ ଏଥିରେ ଭାଗ ନେଉଥିଲେ। ଘଟଣାରେ ସମ୍ପୃକ୍ତ ଅନ୍ୟ ବ୍ୟକ୍ତିମାନଙ୍କୁ ଚିହ୍ନଟ ଓ ଧରିବା ପାଇଁ ତଦନ୍ତ ଜାରି ରହିଛି। ଗିରଫ ହୋଇଥିବା ସମସ୍ତ ୫ ଜଣ ଅଭିଯୁକ୍ତଙ୍କୁ ଆଜି ମାନ୍ୟବର ଅଦାଲତକୁ ଚାଲାଣ କରାଯାଇଛି।
