*ସିନାପାଲି ପୁରୁଣା ବସ୍ଷ୍ଟାଣ୍ଡରେ ଅଚଳ ପାନୀୟ ଜଳ ଫିଲ୍ଟର: ଯାତ୍ରୀ ଅନ୍ତହୀନ ଅସୁବିଧାରେ, ପ୍ରଶାସନ ନୀରବଦ୍ରଷ୍ଟା*।
ନୂଆପଡା (ମିଖାଏଲ ନନ୍ଦ):
ତା-୦୯/୦୯
ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ମୁଖ୍ୟାଳୟସ୍ଥିତ ପୁରୁଣା ବସ୍ଷ୍ଟାଣ୍ଡ ଯାତ୍ରୀ ବିଶ୍ରାମାଗାରରେ ପାନୀୟ ଜଳ ସଙ୍କଟ ତୀବ୍ର ରୂପ ଧାରଣ କରିଛି। ଯାତ୍ରୀମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ଉଦ୍ଦେଶ୍ୟରେ ଏଠାରେ ସ୍ଥାପନ କରାଯାଇଥିବା ୱାଟର ଫିଲ୍ଟରଟି ଦୀର୍ଘ ୬ ରୁ ୭ ମାସ ହେବ ସମ୍ପୂର୍ଣ୍ଣ ଅଚଳ ହୋଇ ପଡ଼ିରହିଛି।
ଫଳରେ ଏହି ବାଟ ଦେଇ ଯାତାୟାତ କରୁଥିବା ଶହ ଶହ ଯାତ୍ରୀ ତଥା ସ୍ଥାନୀୟ ଲୋକେ ଟୋପାଏ ପିଇବା ପାଣି ପାଇଁ ଡହଳବିକଳ ହେଉଛନ୍ତି।
ସୂଚନା ଅନୁସାରେ, ଏହି ପୁରୁଣା ବସ୍ଷ୍ଟାଣ୍ଡ ଉପରେ ପ୍ରତିଦିନ ଆଖପାଖ ଅଞ୍ଚଳର ବହୁ ଯାତ୍ରୀ ନିର୍ଭର କରନ୍ତି। ଗ୍ରୀଷ୍ମ ପ୍ରବାହ ଓ ଦୈନନ୍ଦିନ ଖରାରେ ଯାତ୍ରୀମାନେ ତୃଷାର୍ତ୍ତ ହୋଇ ପାଣି ଖୋଜୁଥିବା ବେଳେ ଫିଲ୍ଟରରୁ ଟୋପାଏ ବି ପାଣି ବାହାରୁ ନାହିଁ। ବାଧ୍ୟ ହୋଇ ଲୋକଙ୍କୁ ଦୂରଦୂରାନ୍ତକୁ ଯାଇ ପାଣି ଯୋଗାଡ଼ କରିବାକୁ ପଡ଼ୁଛି ଅବା ଅଧିକ ଟଙ୍କା ଖର୍ଚ୍ଚ କରି ବୋତଲ ପାଣି କିଣିବାକୁ ପଡ଼ୁଛି।
ଦୀର୍ଘ ମାସ ଧରି ଏହି ସମସ୍ୟା ଲାଗି ରହିଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନ କିମ୍ବା ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। ପ୍ରଶାସନର ଏଭଳି ଚରମ ଉଦାସୀନତା ଓ ନୀରବଦ୍ରଷ୍ଟା ସାଜିବା ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏଥିପ୍ରତି ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ଅଚଳ ଫିଲ୍ଟରର ମରାମତି କରିବା ସହ ନିୟମିତ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ସ୍ୱାଭାବିକ କରିବାକୁ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି।
