ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଆମନ୍ତ୍ରିତ ସେମିନାର ବକ୍ତୃତା କାର୍ଯ୍ୟକ୍ରମ ମୟୂରଭଞ୍ଜ, ବାରିପଦା
_____________________
ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଆମନ୍ତ୍ରିତ ସେମିନାର ବକ୍ତୃତା କାର୍ଯ୍ୟକ୍ରମ
ବାରିପଦା,ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଏହାର ଅନ୍ତର୍ଜାତୀୟ ବ୍ୟାପାର କାର୍ଯ୍ୟାଳୟ ପକ୍ଷରୁ “ଧାରଣକ୍ଷମ ବିକାଶ ନିମନ୍ତେ ଚକ୍ରାକାର ଅର୍ଥନୀତିର ଭୂମିକା” ଶୀର୍ଷକ ଏକ ଆମନ୍ତ୍ରିତ ସେମିନାର ବକ୍ତୃତା ଆୟୋଜିତ ହୋଇଯାଇଛି । କାନାଡାର ଡେଲହାଉସି ବିଶ୍ୱବିଦ୍ୟାଳୟର କୃଷି ଅନୁଷ୍ଠାନର ଇଞ୍ଜିନିୟରିଂ ବିଭାଗର ସହକାରୀ ପ୍ରଫେସର ଡ. ସୋନିଲ ନନ୍ଦ ଏହି ଅବସରରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଚକ୍ରାକାର ଅର୍ଥନୀତିର ଧାରଣା, ସମ୍ପଦର ପୁନଃବ୍ୟବହାର, ଅପଚୟ ହ୍ରାସ, ନବସୃଜନ, ଦକ୍ଷତା ବିକାଶ ଏବଂ ସ୍ଥାନୀୟ ସ୍ତରରେ ନୂତନ ସାମାଜିକ-ଆର୍ଥିକ ସୁଯୋଗ ସୃଷ୍ଟି ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ, ଧାରଣକ୍ଷମ ବିକାଶ ପାଇଁ କେବଳ ସମ୍ପଦ ସଂରକ୍ଷଣ ଯଥେଷ୍ଟ ନୁହେଁ; ଶିକ୍ଷାନୁଷ୍ଠାନ, ଶିଳ୍ପ ଓ ସମାଜ ମଧ୍ୟରେ ସମନ୍ୱିତ ଉଦ୍ୟମ ସହିତ ନବସୃଜନ ଓ ଦକ୍ଷତା ବିକାଶକୁ ଆଗକୁ ନେବା ଆବଶ୍ୟକ । ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ମହେନ୍ଦ୍ର କୁମାର ମହାନ୍ତି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଏପରି ଅନ୍ତର୍ଜାତୀୟ ଜ୍ଞାନ ବିନିମୟ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀ ଓ ଗବେଷକମାନଙ୍କୁ ସମକାଳୀନ ବିଶ୍ୱସ୍ତରୀୟ ଆହ୍ୱାନ ଓ ସମ୍ଭାବନା ସହିତ ଯୋଡ଼ିବାରେ ସହାୟକ ହେବ ବୋଲି ମତ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବିଶ୍ୱବିଦ୍ୟାଳୟର ଅନ୍ତର୍ଜାତୀୟ ବ୍ୟାପାର କାର୍ଯ୍ୟାଳୟର ନୋଡାଲ ଅଧିକାରୀ ଡ. ପ୍ରିୟ ରଞ୍ଜନ ଦେବତା ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଜ୍ଞାନ ବିଭାଗର ଅଧ୍ୟାପକ, ଅଧାପିକା ଓ ଛାତ୍ରଛାତ୍ରୀଗଣ ଯୋଗ ଦେଇଥିଲେ ।
ମୟୂରଭଞ୍ଜରୁ ମୋନାଲୀ ସାହୁଙ୍କ ରିପୋର୍ଟ ଭଞ୍ଜଦୂତ ଖବର
