ତେନ୍ତୁଳି ଗଛରେ ଅଟକିଛି ବିଜୁଳି ତାର, ଅଧା ଢଳିଛି ବିଦ୍ୟୁତ ଖୁଣ୍ଟ
୩ ମାସରୁ ଅଧିକ ସମୟ ଧରି ଅବ୍ୟବସ୍ଥା, ଅଘଟଣ ଆଶଙ୍କାରେ ନଇଗାଁବାସୀ
କେନ୍ଦୁଝର, (ଧ୍ୟାନକୃଷ୍ଣ ନାୟକ) : ତେନ୍ତୁଳି ଗଛରେ ଅଟକି ରହିଛି ବିଜୁଳି ତାର। ତାର ଘଷି ହୋଇ ରହିଥିବାରୁ ଏକ ବିଦ୍ୟୁତ ଖୁଣ୍ଟ ଅଧା ଢଳି ରହିଛି। ତାରଟି ଗଛରେ ଅଟକି ନଥାନ୍ତା, ତେବେ ଖୁଣ୍ଟଟି ଏତେବେଳକୁ ସମ୍ପୂର୍ଣ୍ଣ ଭାବେ ଭୂଇଁକୁ ଢଳି ପଡ଼ିଥାନ୍ତା ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏଭଳି ବିପଜ୍ଜନକ ସ୍ଥିତି ଦୀର୍ଘ ୩ ମାସରୁ ଅଧିକ ସମୟ ଧରି ରହିଥିଲେ ମଧ୍ୟ ବିଦ୍ୟୁତ ବିଭାଗ ପକ୍ଷରୁ ଆବଶ୍ୟକ ତତ୍ପରତା ଦେଖାଯାଉନଥିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି।
ଏଭଳି ଅଭାବନୀୟ ଘଟଣା ଝୁମ୍ପୁରା ବିଦ୍ୟୁତ କାର୍ଯ୍ୟାଳୟ ଅଧୀନ ନଇଗାଁ ଗ୍ରାମରେ ଦେଖିବାକୁ ମିଳିଛି। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ବିଦ୍ୟୁତ ଖୁଣ୍ଟଟି ଦୀର୍ଘଦିନ ହେଲା ଢଳିକି ରହିଛି। ଖୁଣ୍ଟରେ ଥିବା ବିଦ୍ୟୁତ ତାର ତେନ୍ତୁଳି ଗଛରେ ଘଷି ହୋଇ ଅଟକି ରହିଥିବାରୁ ଏହା ଏକ ଗୁରୁତର ବିପଦର କାରଣ ପାଲଟିଛି।
ଏନେଇ ବିଦ୍ୟୁତ ବିଭାଗ ନିକଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ ସମସ୍ୟାର ସମାଧାନ ହୋଇନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଦିନ ପରେ ଦିନ ବିତି ଯାଉଥିଲେ ମଧ୍ୟ ଢଳି ରହିଥିବା ବିଦ୍ୟୁତ ଖୁଣ୍ଟକୁ ମରାମତି କିମ୍ବା ପୁନଃସ୍ଥାପନ କରିବା ଦିଗରେ ବିଭାଗୀୟ ଅଧିକାରୀଙ୍କ ତତ୍ପରତା ନଥିବା ନେଇ ପ୍ରଶ୍ନ ଉଠିଛି।
ସବୁଠାରୁ ଚିନ୍ତାର ବିଷୟ ହେଉଛି, ଖୁଣ୍ଟଟି ଯେକୌଣସି ସମୟରେ ସମ୍ପୂର୍ଣ୍ଣ ଭାବେ ଢଳିପଡ଼ିବାର ଆଶଙ୍କା ରହିଛି। ବିଦ୍ୟୁତ ତାର ଛିଣ୍ଡି ପଡ଼ିଲେ କିମ୍ବା ଅନ୍ୟ କୌଣସି ଅଘଟଣ ଘଟିଲେ ଲୋକଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇପାରେ। ତେଣୁ ଘଟଣାକୁ ହେୟଜ୍ଞାନ ନକରି ବିଦ୍ୟୁତ ବିଭାଗ ତୁରନ୍ତ ଘଟଣାସ୍ଥଳ ପରିଦର୍ଶନ କରି ଢଳି ରହିଥିବା ଖୁଣ୍ଟ ଓ ଗଛରେ ଅଟକିଥିବା ବିଦ୍ୟୁତ ତାରର ଆବଶ୍ୟକ ମରାମତି କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।
