*ଯାଜପୁର ବନ୍ୟା ପରିସ୍ଥିତିରେ ସୁଧାର: ପ୍ରଶାସନର ବ୍ୟାପକ ପ୍ରସ୍ତୁତି*
ରିପୋର୍ଟ -ନିରୋଜ କୁମାର ସେଠୀ
ଯାଜପୁର, ତା. ୩୦.୦୮.୨୦୨୬ ରିଖ: ଯାଜପୁର ଜିଲ୍ଲାରେ ବନ୍ୟା ପରିସ୍ଥିତିରେ ଧୀରେ ଧୀରେ ସୁଧାର ପରିଲକ୍ଷିତ ହେଉଥିଲେ ମଧ୍ୟ ଦଶରଥପୁର ଭଳି ନିମ୍ନାଞ୍ଚଳରେ ସ୍ଥିତି ଏବେବି ମଧ୍ୟ ଚିନ୍ତାଜନକ ରହିଛି। ବିଶେଷକରି ଦଶରଥପୁର ବ୍ଲକ୍ ଉପରେ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନଜର ରଖାଯାଇଛି।
ସଦ୍ୟତମ ରିପୋର୍ଟ ଅନୁଯାୟୀ, ଜିଲ୍ଲାର ୧ ଟି ବ୍ଲକ୍—ଦଶରଥପୁର ୧୯ଟି ଗ୍ରାମ ପଞ୍ଚାୟତ ଏବଂ ୬୨ଟି ଗାଁ ବର୍ତ୍ତମାନ ବନ୍ୟା ଦ୍ୱାରା ସିଧାସଳଖ ପ୍ରଭାବିତ ହୋଇଛି। ମୋଟ ୧,୧୦,୨୯୯ ଜଣ ଲୋକ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛନ୍ତି।
ଆଶ୍ୱାସନାର ବିଷୟ ହେଉଛି, ବର୍ତ୍ତମାନ ଜିଲ୍ଲାରେ କୌଣସି ବ୍ୟକ୍ତି ଜଳଘେରରେ (Marooned) ନାହାନ୍ତି। ପ୍ରଶାସନ ପକ୍ଷରୁ ଚାଲିଥିବା ସଦ୍ୟତମ ସ୍ଥାନାନ୍ତର ଅଭିଯାନରେ ୮,୯୮୩ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇ ରିଲିଫ୍ ଶିବିରରେ ରଖାଯାଇଛି।
ବନ୍ୟା ପ୍ରଭାବିତଙ୍କୁ ତତ୍କାଳ ସହାୟତା ଯୋଗାଇଦେବା ପାଇଁ ଜିଲ୍ଲାରେ ବର୍ତ୍ତମାନ ୨୨ଟି ମାଗଣା ରନ୍ଧାଖାଦ୍ୟ କେନ୍ଦ୍ର କାର୍ଯ୍ୟକ୍ଷମ ରହିଛି। ଏହି କେନ୍ଦ୍ରଗୁଡ଼ିକ ମାଧ୍ୟମରେ ୮,୯୮୩ ଜଣଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି।
ବନ୍ୟା ପ୍ରଭାବିତ ଅଞ୍ଚଳରେ ସ୍ୱାସ୍ଥ୍ୟସେବାକୁ ସର୍ବାଧିକ ପ୍ରାଥମିକତା ଦିଆଯାଇଛି। ଏଥିପାଇଁ ୧୦ଟି ମେଡିକାଲ୍ ଟିମ୍ ନିୟୋଜିତ ହୋଇଥିବା ବେଳେ ୧୮ଟି ସ୍ୱାସ୍ଥ୍ୟ ଶିବିର ମାଧ୍ୟମରେ ଲୋକଙ୍କୁ ଚିକିତ୍ସା ଓ ଆବଶ୍ୟକ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଉଛି। ଏଥିସହିତ ୧୮ ଜଣ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଛି।
ବନ୍ୟା ପ୍ରଭାବିତ ଅଞ୍ଚଳରେ ପ୍ରାଣୀସମ୍ପଦର ସୁରକ୍ଷା ଓ ଚିକିତ୍ସା ପାଇଁ ୧୨ଟି ଭ୍ରାମ୍ୟମାଣ ପ୍ରାଣୀଚିକିତ୍ସା ଟିମ୍ ଏବଂ ୮ଟି ପ୍ରାଣୀ ଚିକିତ୍ସା ଶିବିର କାର୍ଯ୍ୟ କରୁଛି। ଆବଶ୍ୟକତା ଅନୁଯାୟୀ ପ୍ରଭାବିତ ଅଞ୍ଚଳରେ ପ୍ରାଣୀଙ୍କ ଚିକିତ୍ସା, ଟିକା କରଣ, ଔଷଧ ଓ ଅନ୍ୟାନ୍ୟ ଆବଶ୍ୟକ ସେବା ଯୋଗାଇ ଦିଆଯାଉଛି।
ସମ୍ଭାବ୍ୟ ଜରୁରୀ ପରିସ୍ଥିତିର ମୁକାବିଲା ଓ ତ୍ୱରିତ ଉଦ୍ଧାର କାର୍ଯ୍ୟ ପାଇଁ ଜିଲ୍ଲାରେ ୨ଟି ଓଡ୍ରାଫ୍ (ODRAF) ଟିମ୍ ମଧ୍ଯ ମୁତୟନ ରହିଛନ୍ତି। ପରିସ୍ଥିତି ଉପରେ ନିରନ୍ତର ନଜର ରଖାଯାଇଥିବା ବେଳେ ଆବଶ୍ୟକ ସ୍ଥଳେ ତୁରନ୍ତ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଆରମ୍ଭ କରିବା ପାଇଁ ପ୍ରଶାସନ ପ୍ରସ୍ତୁତ ରହିଛି।
ଜିଲ୍ଲା ପ୍ରଶାସନ ଏବଂ ସ୍ୱତନ୍ତ୍ର ରିଲିଫ୍ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ବନ୍ୟା ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଛି। ପ୍ରଭାବିତ ଲୋକଙ୍କ ସୁରକ୍ଷା, ରିଲିଫ୍ ଓ ଆବଶ୍ୟକ ସେବା ଯୋଗାଣକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାରର ପ୍ରସ୍ତୁତି ଜାରି ରହିଛି।
