ନିର୍ବାଚନ ସଚେତନତା କାର୍ଯ୍ୟକ୍ରମ ମୁଜାଗଡ଼ ପିଏମ୍ ଶ୍ରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ।
ଭଞ୍ଜନଗର -୨୯/୮:(ରିପୋର୍ଟ -ପ୍ରଫୁଲ୍ଲ କୁମାର ମହାରଣା )ଭଞ୍ଜନଗର ବ୍ଲକ ମୁଜାଗଡ଼ସ୍ଥିତ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ନିର୍ବାଚନ ସାକ୍ଷରତା କ୍ଲବ୍ (Electoral Literacy Club–ELC) ପକ୍ଷରୁ ନିର୍ବାଚନ ପରିଚାଳନା, ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ମତଦାନ ସମ୍ପର୍କିତ ଏକ ବିଶେଷ ସଚେତନତା କାର୍ଯ୍ୟକ୍ରମ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ଡେପୁଟି କଲେକ୍ଟର ରଚିତା ମହାପାତ୍ର ଏବଂ ବିଡିଓ ଭାରତୀ ଦେବୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ବିଦ୍ୟାଳୟର ଅଧ୍ୟକ୍ଷା କୁନିଆମା ଦୋରା କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ଓ ଅନ୍ୟ ଅତିଥିମାନେ ନିର୍ବାଚନର ମହତ୍ତ୍ୱ, ଭାରତୀୟ ଗଣତନ୍ତ୍ରରେ ମତଦାତାଙ୍କ ଭୂମିକା, ନିର୍ବାଚନ ପ୍ରକ୍ରିୟା, ନିରପେକ୍ଷ ଓ ନିର୍ଭୀକ ମତଦାନ, ନିର୍ବାଚନ ସମୟରେ ନାଗରିକଙ୍କ ଦାୟିତ୍ୱ ଏବଂ ଯୁବପିଢ଼ି ମଧ୍ୟରେ ନିର୍ବାଚନୀ ସଚେତନତାର ଆବଶ୍ୟକତା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ। ଗଣତନ୍ତ୍ରକୁ ସୁଦୃଢ଼ କରିବା ପାଇଁ ସଚେତନ ମତଦାତା ଓ ଦାୟିତ୍ୱବାନ ନାଗରିକଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ବିଦ୍ୟାଳୟର ELC ପକ୍ଷରୁ ପୂର୍ବରୁ ଆୟୋଜିତ ବିଭିନ୍ନ ନିର୍ବାଚନୀ ସଚେତନତାମୂଳକ ପ୍ରତିଯୋଗିତାରେ କୃତୀତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସଂଯୋଜିକା ରୂପେ ବରିଷ୍ଠ ଶିକ୍ଷୟିତ୍ରୀ ବୈଜୟନ୍ତୀମାଳା ପ୍ରିୟଦର୍ଶିନୀ ପରିଚାଳନା କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପକ ତ୍ରିନାଥ ବେହେରା, ଅଜିତ ନାୟକ,ରମାକାନ୍ତ ନାଗ,ବାବୁଲାଲ ଗୌଡ଼, ଅଧ୍ୟାପିକା ଶ୍ରାବଣୀ ସାହୁ , ଉଷାରାଣୀ ଦାସ ଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଓ ଅଣ ଶୈକ୍ଷିକ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ। ଶେଷରେ ELC ର ସଂଯୋଜିକା ଅଧ୍ୟାପିକା ସଙ୍ଗୀତା ସ୍ୱାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
