ମହାନ୍ତି ପଡ଼ାଶିଆ ଆମ ଅଙ୍ଗନବାଡୀ କେନ୍ଦ୍ରରେ ମୌଳିକ ସୁବିଧାରୁ ବଞ୍ଚିତ କୁନି କୁନି ପିଲା
___________________
ସାରସକଣା,(୨୯/୮/୨୬):(ନି.ପ୍ର):
ମୟୂରଭଞ୍ଜ ଜିଲ୍ଲାର ସାରସକଣା ବ୍ଲକ ଅଧୀନସ୍ଥ ଉମାଦେଇପୁର ପଞ୍ଚାୟତର ମହାନ୍ତି ପଡ଼ାଶିଆ ଗ୍ରାମର “ଆମ ଅଙ୍ଗନ ବାଡ଼ି” କେନ୍ଦ୍ରରେ ୩ ବର୍ଷ ଧରି ବିଦ୍ୟୁତ୍ ସଂଯୋଗ ନାହିଁ , ମୌଳିକ ସୁବିଧାରୁ ବଞ୍ଚିତ କୁନି କୁନି ପିଲା, ପ୍ରଶାସନ ନୀରବ । ସରକାର ଶିଶୁମାନଙ୍କ ପ୍ରାଥମିକ ଶିକ୍ଷା ଓ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଅଙ୍ଗନବାଡ଼ି କେନ୍ଦ୍ର ଜରିଆରେ କୋଟି କୋଟି ଟଙ୍କାର ଯୋଜନା କାର୍ଯ୍ୟକାରୀ କରୁଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ । ମହାନ୍ତି ପଡ଼ାଶିଆ ଅଙ୍ଗନବାଡ଼ି କେନ୍ଦ୍ର ଏହାର ଏକ ଜ୍ଵଳନ୍ତ ଉଦାହରଣ । ଏଠାରେ କୋମଳମତି ଶିଶୁ ମାନଙ୍କୁ ସର୍ବନିମ୍ନ ମୌଳିକ ସୁବିଧା ମଧ୍ୟ ମିଳିପାରୁନାହିଁ । ଦୀର୍ଘ ୩ ବର୍ଷ ହେବ ଏହି କେନ୍ଦ୍ରରେ ବିଦ୍ୟୁତ୍ ସଂଯୋଗ ନ ଥିବାରୁ ଅସହ୍ୟ ଗୁଳୁଗୁଳି ଓ ଅନ୍ଧକାର ମଧ୍ୟରେ ପିଲାମାନେ ବସିବାକୁ ବାଧ୍ୟ ହେଉଛନ୍ତି । ପିଲାମାନଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ, ଉପଯୁକ୍ତ ପରିମଳ ବ୍ୟବସ୍ଥା ଓ ଖେଳକୁଦ ତଥା ଶିକ୍ଷଣୀୟ ପରିବେଶ ଏଠାରେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ । ସ୍ଥାନୀୟ ଅଭିଭାବକ ଓ ଗ୍ରାମବାସୀ ବାରମ୍ଵାର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ବିଭାଗ କୌଣସି ପଦକ୍ଷେପ ଗ୍ରହଣ କରୁ ନାହିଁ । ଶିଶୁ ବିକାଶ ଯୋଜନାର ଏଭଳି ଦୁରାବସ୍ଥା ଉପରେ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ନୀରବ ଦ୍ରଷ୍ଟା ସାଜିଛି । ଭବିଷ୍ୟତର ନାଗରିକ ଗଢିବାର ପ୍ରଥମ ପାହାଚ କୁହାଯାଉଥିବା ଅଙ୍ଗନବାଡ଼ି କେନ୍ଦ୍ର ଯଦି ଏଭଳି ଅବହେଳିତ ହୋଇ ରହିବ, ତେବେ ଶିଶୁ ବିକାଶ ଲକ୍ଷ୍ୟ ହାସଲ ହେବ କିପରି? ସ୍ଥାନୀୟ ଅଞ୍ଚଳବାସୀଙ୍କ ଦାବି ତୁରନ୍ତ ଏହି ଅଙ୍ଗନବାଡ଼ି କେନ୍ଦ୍ରକୁ ବିଦ୍ୟୁତ ସଂଯୋଗ ଯୋଗାଇ ଦିଆଯାଉ । ଅନିଲ କୁମାର ସାହୁ ସାରସକଣା ପ୍ରତିନିଧି ଭଞ୍ଜଦୂତ ଖବର ।
