*ନୂଆପଡ଼ାରେ ଜିଲ୍ଲାସ୍ତରୀୟ ରାକ୍ଷୀ ମେଳା ଉଦ୍ଘାଟିତ, ଇକୋ-ଫ୍ରେଣ୍ଡ୍ଲି ରାକ୍ଷୀ ବ୍ୟବହାର ପାଇଁ ଜିଲ୍ଲାପାଳଙ୍କ ଆହ୍ୱାନ*
ନୂଆପଡ଼ା(ମିଖାଏଲ ନନ୍ଦ)
ତା. ୨୫/୦୮:
ଭାଇ-ଭଉଣୀଙ୍କ ପବିତ୍ର ସ୍ନେହ ଓ ସୁରକ୍ଷାର ପ୍ରତୀକ ରକ୍ଷାବନ୍ଧନକୁ ଅଧିକ ଅର୍ଥପୂର୍ଣ୍ଣ କରିବା ସହ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଉତ୍ପାଦକୁ ବଜାର ସୁଯୋଗ ପ୍ରଦାନ ଉଦ୍ଦେଶ୍ୟରେ ଓରମାସ, ନୂଆପଡ଼ା ପକ୍ଷରୁ ଜିଲ୍ଲାସ୍ତରୀୟ ରାକ୍ଷୀ ମେଳା ଆଜି ଉଦ୍ଘାଟିତ ହୋଇଯାଇଛିl ଜିଲ୍ଲାପାଳ ମଧୁସୂଦନ ଦାଶ ମେଳାକୁ ଅନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ।
ଆଜିଠାରୁ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମେଳାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଗ୍ରାମୀଣ କାରିଗର ଓ ସ୍ଥାନୀୟ ଉଦ୍ୟୋଗୀମାନେ ନିଜସ୍ୱ ଉଦ୍ୟମରେ ପ୍ରସ୍ତୁତ ରାକ୍ଷୀ ସମେତ ବିଭିନ୍ନ ହସ୍ତଶିଳ୍ପ ଓ ସ୍ଥାନୀୟ ଉତ୍ପାଦ ପ୍ରଦର୍ଶନ ଓ ବିକ୍ରୟ କରିବେ। ଏହି ମେଳା ମାଧ୍ୟମରେ ସ୍ଥାନୀୟ ଉତ୍ପାଦକୁ ବଜାର ସହ ଯୋଡ଼ିବା ସହ ମହିଳାମାନଙ୍କ ଉଦ୍ୟମ ଓ ସୃଜନଶୀଳତାକୁ ଆୟର ଉତ୍ସରେ ପରିଣତ କରିବା ପାଇଁ ମଞ୍ଚ ସୃଷ୍ଟି ହୋଇଛି।ଏହି ଅବସରରେ ଜିଲ୍ଲାପାଳ ରକ୍ଷାବନ୍ଧନର ପବିତ୍ର ବନ୍ଧନ ସହ ପରିବେଶ ସୁରକ୍ଷାର ବାର୍ତ୍ତାକୁ ଯୋଡ଼ି ଚଳିତ ବର୍ଷ ପରିବେଶ ଅନୁକୂଳ ରାକ୍ଷୀ ବ୍ୟବହାର କରିବା ପାଇଁ ଜିଲ୍ଲାବାସୀଙ୍କୁ ଆହ୍ୱାନ ଦେଇଥିଲେ। ଦୈନନ୍ଦିନ ଜୀବନରେ ପରିବେଶ ଅନୁକୂଳ ବିକଳ୍ପ ଆପଣାଇବା ଦ୍ୱାରା ସ୍ୱଚ୍ଛ, ସବୁଜ ଓ ସ୍ଥାୟୀ ପରିବେଶ ଗଠନରେ ସହାୟତା ମିଳିବ ବୋଲି ସେ କହିଥିଲେ।ଜିଲ୍ଲାପାଳ ମେଳାରେ ଅଂଶଗ୍ରହଣ କରିଥିବା ଏସ୍ଏଚ୍ଜି ସଦସ୍ୟମାନଙ୍କ ସହ ଆଲୋଚନା କରି ସେମାନଙ୍କ ଉତ୍ପାଦ, ଉଦ୍ୟମ ଓ ବଜାର ସମ୍ପର୍କିତ ଆବଶ୍ୟକତା ବିଷୟରେ ପଚାରି ବୁଝିଥିଲେ। ସ୍ଥାନୀୟ ମହିଳା ଉଦ୍ୟୋଗୀମାନଙ୍କ ଉତ୍ପାଦକୁ ବଜାର ସୁଯୋଗ ମିଳିବା ଦ୍ୱାରା ସେମାନଙ୍କ ଆୟ ଓ ଆର୍ଥିକ ସ୍ୱାବଲମ୍ବନ ଆହୁରି ସୁଦୃଢ଼ ହେବ ବୋଲି ଆଶା ପ୍ରକାଶ କରାଯାଇଥିଲା।
ଓରମାସ, ନୂଆପଡ଼ା ପକ୍ଷରୁ ଆୟୋଜିତ ଏହି ମେଳା ମହିଳା ସଶକ୍ତିକରଣ, ସ୍ଥାନୀୟ ଉତ୍ପାଦର ପ୍ରୋତ୍ସାହନ ଓ ପରିବେଶ ସୁରକ୍ଷାକୁ ଏକାଠି ନେଇ ଆଗେଇବାର ଏକ ପ୍ରୟାସ ବୋଲି କୁହା ଯାଉଛିl
ଉଦ୍ଘାଟନ ଅବସରରେ ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଓରମାସ ଉପ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବିଦେଶ ଘୋଷଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
