ବିଦ୍ୟୁତ୍ ଆଘାତରେ ବୃଦ୍ଧ ମୃତ।
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର)::: ସୋର ପୌରପାଳିକା ଅନ୍ତର୍ଗତ ୧୦ ନଂ ୱାର୍ଡ ଘୋଡା ସାହିର ଦୟାନିଧି ଧଡ଼ାଙ୍କ ଜ୍ୱାଇଁ ଦୁଯା ପରିଡ଼ା (୫୦)ଙ୍କର ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଛି। ମୃତକ ଜଣକ ଯାଜପୁର ଟାଉନ ଥାନା ଅନ୍ତର୍ଗତ ମଟରାଙ୍ଗପାଳ କୁସୁମା ପାର୍କ ନିକଟ ନିବାସୀ ବଳରାମ ପରିଡ଼ାଙ୍କ ପୁଅ ବୋଲି ଜଣାପଡ଼ିଛି। ସେ ଗତ ୨୦ ବର୍ଷରୁ ଅଧିକ ସମୟ ହେବ ସୋରରେ ରହି କାମଧନ୍ଦା କରିଆସୁଥିଲେ।ସୂଚନା ଅନୁଯାୟୀ, ଆଜି ସନ୍ଧ୍ୟା ପ୍ରାୟ ୬:୩୦ ସମୟରେ ୬ ନଂ ୱାର୍ଡ ପାରମହାଲ ଛକ ନିକଟରେ ଏକ ଟେଣ୍ଟରେ ଏଲଇଡି (LED) ବୋର୍ଡ ସଜାଡ଼ୁଥିବା ବେଳେ ହଠାତ୍ ତାଙ୍କୁ ବିଦ୍ୟୁତ ଆଘାତ ଲାଗିଥିଲା। ଘଟଣାସ୍ଥଳରେ ସେ ଗୁରୁତର ହୋଇ ପଡ଼ିବାରୁ ପରିବାର ଓ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସୋର ମେଡିକାଲକୁ ଆଣିଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ପ୍ରକାଶ ଯେ, ଦୁଯା ଅବଦୁଲ ନାମକ ଜଣେ ଟେଣ୍ଟ ମାଲିକଙ୍କ ପାଖରେ ରହି ଦୀର୍ଘଦିନ ହେବ କାମ କରିଆସୁଥିଲେ। ଏହି ଅଭାବନୀୟ ଘଟଣା ପରେ ପରିବାରବର୍ଗ ଓ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସମ୍ପୃକ୍ତ ଟେଣ୍ଟ ମାଲିକ ଏହି ଦୁର୍ଘଟଣା ପାଇଁ ଯଥେଷ୍ଟ କ୍ଷତିପୂରଣ ପ୍ରଦାନ କରନ୍ତୁ ଏବଂ ପ୍ରଶାସନ ତଥା ସରକାରଙ୍କ ପକ୍ଷରୁ ମୃତ ପରିବାରବର୍ଗଙ୍କୁ ଆର୍ଥିକ ସହଯୋଗ ଦିଆଯାଉ ବୋଲି ପରିବାର ଓ ସ୍ଥାନୀୟ ଲୋକଙ୍କ ପକ୍ଷରୁ ଦୃଢ଼ ଦାବି ହୋଇଛି।
