ତାଳଚେରରେ ଶେଷ ଶ୍ରାବଣ ସୋମବାରରେ କାଉଡ଼ିଆଙ୍କ ପାଇଁ ନିଆରା ସେବା କାର୍ଯ୍ୟକ୍ରମ
ରିପୋର୍ଟ ମନୋଜ ରାଉତ
ତାଳଚେର: ୨୫.୮.୨୬.(ନିପ୍ର) ଶେଷ ଶ୍ରାବଣ ସୋମବାର ଅବସରରେ ଶିବଭକ୍ତ ବୋଲବମ କାଉଡ଼ିଆଙ୍କ ସେବା ଓ ସହଯୋଗ ପାଇଁ ତାଳଚେରରେ ଆୟୋଜିତ ହୋଇଛି ଏକ ନିଆରା ସେବା କାର୍ଯ୍ୟକ୍ରମ।
ଉତ୍ସର୍ଗ କଲ୍ୟାଣ ସେବା ଫାଉଣ୍ଡେସନର ପ୍ରତିଷ୍ଠାତା ସରୋଜ କୁମାର ସାହୁ ଓ ଦୀପକ ଡ୍ରେସ ହାଉସର ମାଲିକ ଦୀପକ ଅଗ୍ରୱାଲଙ୍କ ମିଳିତ ସହଯୋଗରେ ଏହି ସେବା ଶିବିର ଆୟୋଜିତ ହୋଇଥିଲା।
ତାଳଚେର ପଶ୍ଚିମେଶ୍ୱର ଶିବ ମନ୍ଦିର ନିକଟରେ ଆୟୋଜିତ ଏହି ଶିବିରରେ ଦୀର୍ଘ ପଥ ଅତିକ୍ରମ କରି ଯାଉଥିବା ବୋଲବମ ଭକ୍ତମାନଙ୍କୁ ଚା, କ୍ଷୀର, ବିସ୍କୁଟ, ହାଲୁଆ, ଉପମା, ଖିରି ଓ ଥଣ୍ଡା ପାଣି ଆଦି ପ୍ରଦାନ କରାଯାଇଥିଲା।
କେବଳ ଖାଦ୍ୟ ଓ ପାନୀୟ ଯୋଗାଇବା ନୁହେଁ, ଦୀର୍ଘ ରାସ୍ତା ଅତିକ୍ରମ କରୁଥିବା ଶିବଭକ୍ତମାନଙ୍କୁ କିଛି ସମୟ ବିଶ୍ରାମ ଦେବା ସହ ଆବଶ୍ୟକ ସହଯୋଗ ଯୋଗାଇଦେବା ଥିଲା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ।
ଏହି ଅବସରରେ ସରୋଜ କୁମାର ସାହୁ, ଦୀପକ ଅଗ୍ରୱାଲ, ଶିବ ସୁନ୍ଦର କର, ତାପସ ମହାପାତ୍ର, ଅଜିତ ସାମଲ, ସୋମେଶ ରଥ, ସୃତିରଞ୍ଜନ ପ୍ରଧାନ, ଜ୍ୟୋତି ରଞ୍ଜନ ଦେବତା, ରାମଚନ୍ଦ୍ର ବେହେରା, ପଦି ଭାଇ, ଲିଟୁ ଭାଇ, ଶଶୀ ଭାଇଙ୍କ ସମେତ ଫାଉଣ୍ଡେସନର ସଦସ୍ୟ ଓ ସ୍ୱେଚ୍ଛାସେବୀମାନେ ଭକ୍ତମାନଙ୍କ ସେବାରେ ନିୟୋଜିତ ହୋଇଥିଲେ।
ଜାତି, ଧର୍ମ, ବର୍ଣ୍ଣ ଓ ଦଳମତର ଊର୍ଦ୍ଧ୍ୱରେ ରହି ମାନବିକତା ଓ ସେବା ଭାବନାକୁ ଆଗକୁ ନେବା ହେଉଛି ଫାଉଣ୍ଡେସନର ମୁଖ୍ୟ ଲକ୍ଷ୍ୟ। ସଂସ୍ଥା ପକ୍ଷରୁ କୁହାଯାଇଛି— “ସେବା ହିଁ ଧର୍ମ, ମାନବ ସେବା ହିଁ ମାଧବ ସେବା।”
ଶିବଭକ୍ତଙ୍କ ସେବା ମାଧ୍ୟମରେ ସମାଜରେ ଭାଇଚାରା, ସହଯୋଗ ଓ ମାନବିକତାର ବାର୍ତ୍ତା ପହଞ୍ଚାଇବା ସହ ଆଗାମୀ ଦିନରେ ମଧ୍ୟ ଏଭଳି ସେବା କାର୍ଯ୍ୟ ଜାରି ରହିବ ବୋଲି ଉତ୍ସର୍ଗ କଲ୍ୟାଣ ସେବା ଫାଉଣ୍ଡେସନ ପକ୍ଷରୁ କୁହାଯାଇଛି।
