ବାଙ୍ଗାଲୋରରେ ସ୍କୁଟର ଧକ୍କା ରେ ଲିଭିଗଲା ଅର୍ପିତଙ୍କ ଜୀବନ ଦୀପ
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର): ସେ ଥିଲେ ଘରର ଏକ ମାତ୍ର ପୁତ୍ର ସନ୍ତାନ। ହସଖୁସିରେ ଚାଲିଥିଲା ଛୋଟ ପରିବାର, ସୁଖୀ ପରିବାର। ହେଲେ ହଠାତ କାଳ ରାତି ଯେପରି ଅନାଇଥିଲା ଜୀବନ ଦୀପ ଲିଭାଇବା ପାଇଁ, ଆଉ ଉଜୁଡିଗଲା ସଂସାର। ଏମିତି ଏକ ଦୁଃଖଦ ଘଟଣା ଘଟିଛି ସୋର କଲେଜ ଛକରେ ରହୁଥିବା ସମସ୍ତଙ୍କର ପ୍ରିୟର ବହୁ ପରିଚିତ ବାଣିଜ୍ୟ ବିଭାଗର ଅଧ୍ୟାପକ ଅରୁଣ ସାରଙ୍କ ପରିବାରରେ।ସୋର ଅଞ୍ଚଳର ଜଣେ ଯୁବ ଇଂଜିନିୟରଙ୍କର ବେଙ୍ଗଲୋର ଠାରେ ଏକ ସ୍କୁଟର ଦୁର୍ଘଟଣାରେ ମୃତ୍ୟୁ ଘଟିଛି । ସୋର କଲେଜ ଛକ ବାସିନ୍ଦା ତଥା ଖଇରା କଲେଜର ପୂର୍ବତନ ଅଧ୍ୟକ୍ଷ ଅରୁଣ ପାଢୀଙ୍କର ପୁତ୍ର ଅର୍ପିତ ପାଢୀ (୩୫) ବେଙ୍ଗଲୋର ଠାରେ ଏକ ସଫ୍ଟୱାର ଇଞ୍ଜନିୟର ଭାବେ କାର୍ଯ୍ୟ କରୁଥିଲେ । ଗତ ଗୁରୁବାର ରାତି ୯ଟା ସମୟରେ ଅର୍ପିତ ତାଙ୍କର ମାଉସୀ ପୁଅ ଭାଇଙ୍କ ସହିତ ହୋଟେଲକୁ ଖାଇବା ପାଇଁ ଯାଉଥିଲେ। ଏହି ସମୟରେ ଏକ ହମ୍ପସରେ ଭାରସାମ୍ୟ ହରାଇ ଏକ ବିଦ୍ୟୁତ ଖୁଣ୍ଟିରେ ସ୍କୁଟରଟି ଧକ୍କା ହୋଇଥିଲା। ଫଳରେ ଦୁଇଜଣଯାକ ଗୁରୁତର ହୋଇ ପଡ଼ିଥିଲେ । ସ୍ଥାନୀୟ ଲୋକେ ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଗତକାଲି ୪ଟା ସମୟରେ ଚିକିତ୍ସାଧୀନ ଅବସ୍ଥାରେ ଅର୍ପିତଙ୍କର ମୃତ୍ୟୁ ଘଟିଥିବା ଡାକ୍ତର ଘୋଷଣା କରିଛନ୍ତି। ତାଙ୍କ ସାଥିରେ ଥିବା ଭାଇ ଚିକିତ୍ସାଧୀନ ଅଛନ୍ତି। ଅର୍ପିତଙ୍କର ବିଧବା ପତ୍ନୀ ଏବଂ ଦେଢ ବର୍ଷର ପୁଅ ଅଛନ୍ତି ।
