*ନୂଆପଡା ଜିଲ୍ଲା ସିନାପାଲିରେ ଜଳବନ୍ଦୀ ଜୀବନ: ଜୀବନକୁ ବାଜି ଲଗାଇ ନଈ ପାର ହେଉଛନ୍ତି ଗ୍ରାମବାସୀ*
ନୂଆପଡା(ମିଖାଏଲ ନନ୍ଦ)
ତା:୨୦/0୮
ବର୍ଷା ଦିନ ଆସିଲେ ବଢ଼ିଯାଏ ଦୁଃଖ। ନୂଆପଡା ଜିଲ୍ଲା ସିନାପାଲି ବ୍ଲକର ସୀମାନ୍ତ ଅଞ୍ଚଳରେ ଦେଖାଦେଇଛି।ଏଭଳି ଏକ ଚିନ୍ତାଜନକ ଚିତ୍ର। ବର୍ଷାର ପ୍ରଭାବରେ ଏଠାରେ ଥିବା ନଈ ଜଳମଗ୍ନ ହୋଇପଡିଥିବା ବେଳେ ବାହାର ଦୁନିଆରୁ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛନ୍ତି ସୀମାନ୍ତ ରେ ଥିବା ଚିତାରମା,ଘଟମାଲ,ଗେଣ୍ଡୁଳ ପାଣି ଗାଁର ହଜାର ହଜାର ବାସିନ୍ଦା। ପ୍ରତିବର୍ଷ ବର୍ଷା ଦିନର ପ୍ରାୟ ୫ ମାସ କାଳ ଏହି ଲୋକମାନେ ଏକ ପ୍ରକାର ଜଳବନ୍ଦୀ ଜୀବନ ବିତାଉଛନ୍ତି।ଜୀବନକୁ ବାଜି ଲଗାଇ ଯାତାୟାତ ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଜରୁରୀକାଳୀନ ସେବା, ଚିକିତ୍ସା କିମ୍ବା ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ପାଇଁ ସେମାନଙ୍କୁ ବାଧ୍ୟ ହୋଇ ଭରା ନଈ ପାର ହେବାକୁ ପଡୁଛି। ଗର୍ଭବତୀ ମହିଳା ଓ ରୋଗୀମାନଙ୍କୁ ଡାକ୍ତରଖାନା ନେବା ଏଠାରେ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ପାଲଟିଛି। ପୋଲ ନଥିବାରୁ ଲୋକେ ନିଜ ଜୀବନକୁ ବିପଦରେ ପକାଇ, ପହଁରି କିମ୍ବା ଅସ୍ଥାୟୀ ଡଙ୍ଗା ସାହାଯ୍ୟରେ ନଈ ପାର ହେଉଛନ୍ତି। ଯେକୌଣସି ମୁହୂର୍ତ୍ତରେ ଏଠାରେ ଏକ ବଡ଼ ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି।ପ୍ରଶାସନର ଦୃଷ୍ଟି ଆକର୍ଷଣ:ସ୍ଥାନୀୟ ଲୋକେ ଦୀର୍ଘ ଦିନ ହେବ ଏଠାରେ ଏକ ସ୍ଥାୟୀ ପୋଲ ନିର୍ମାଣ ପାଇଁ ଦାବି କରିଆସୁଛନ୍ତି। ପ୍ରତିବର୍ଷ କେବଳ ପ୍ରତିଶ୍ରୁତି ମିଳୁଥିଲେ ମଧ୍ୟ ସମସ୍ୟାର କୌଣସି ସ୍ଥାୟୀ ସମାଧାନ ହେଉନାହିଁ। ବର୍ତ୍ତମାନ ସ୍ଥିତି ଅସମ୍ଭାଳ ହୋଇପଡିଥିବାରୁ ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଗମନାଗମନର ସୁବ୍ୟବସ୍ଥା କରୁ ବୋଲି ସୀମାନ୍ତ ଗ୍ରାମବାସୀ ଦୃଢ଼ ଦାବି କରିଛନ୍ତି।
