*ଗାଇସିଲେଟରେ ବିଭିନ୍ନ ଉନ୍ନୟନ,ସ୍ବଚ୍ଛତା ଓ ପରିମଳ କାର୍ଯ୍ୟର ତଦାରଖ କଲେ ଜିଲ୍ଲାପରିଷଦ ଅଧିକାରୀ*।
ବରଗଡ :୨୦/୦୮(ନି ପ୍ର) ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଅଞ୍ଚଳରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ, ସ୍ୱଚ୍ଛତା ଓ ପରିମଳ କାର୍ଯ୍ୟର ତଦାରଖ କରିଛନ୍ତି ଜିଲ୍ଲା ପରିଷଦର ଅଧିକାରୀମାନେ। ଜିଲ୍ଲା ପରିଷଦର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅମିୟ କୁମାର ଦାଶ ଏବଂ ଜଳ ଓ ପରିମଳ ବିଭାଗର ଜିଲ୍ଲା ସଂଯୋଜକ ଲିଙ୍ଗରାଜ ଦାଶ ଗାଇସିଲେଟ ବ୍ଲକର ବିଭିନ୍ନ ଗ୍ରାମ ପରିଦର୍ଶନ କରି ପ୍ରକଳ୍ପ ଗୁଡ଼ିକର ସ୍ଥିତି ଅନୁଧ୍ୟାନ କରିଥିଲେ। ଅଧିକାରୀଦ୍ୱୟ କଟାବାହାଲ, ତାଲପାଲି, ଜାମୁଟପାଲି ଓ ଫିରିଙ୍ଗିମାଲ ଗ୍ରାମପଞ୍ଚାୟତ ଅଧୀନ ବିଭିନ୍ନ ଗ୍ରାମକୁ ଯାଇ ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ଯୋଜନାରେ ଚାଲିଥିବା ପ୍ରକଳ୍ପଗୁଡ଼ିକର ଅଗ୍ରଗତି ଓ ନିର୍ମାଣ ମାନ ଯାଞ୍ଚ କରିଥିଲେ। ଏହି ଅବସରରେ କଲ୍ୟାଣମଣ୍ଡପ, ଶବଦାହ ଗୃହ, ରାସ୍ତା ଉନ୍ନତିକରଣ ସମେତ ବିଭିନ୍ନ ଉନ୍ନୟନ କାର୍ଯ୍ୟର ସ୍ଥିତି ତଦାରଖ କରାଯାଇଥିଲା। ସେହିପରି ଜଳ ଓ ପରିମଳ ବିଭାଗ ପକ୍ଷରୁ ନିର୍ମାଣାଧୀନ ଗୋଷ୍ଠୀ ଶୌଚାଳୟ, ଗୋଷ୍ଠୀଗତ ଗାତ, ବ୍ୟକ୍ତିଗତ ଶୌଚାଳୟ, ଗୋବର୍ଦ୍ଧନ ବାୟୋଗ୍ୟାସ ସମେତ ବିଭିନ୍ନ ସ୍ୱଚ୍ଛତା ଓ ପରିମଳ କାର୍ଯ୍ୟର ମଧ୍ୟ ତଦାରଖ କରାଯାଇଥିଲା। ପ୍ରକଳ୍ପଗୁଡ଼ିକର ଗୁଣବତ୍ତା, କାର୍ଯ୍ୟର ଅଗ୍ରଗତି ଏବଂ ନିର୍ଦ୍ଧାରିତ ମାନଦଣ୍ଡ ଅନୁଯାୟୀ କାମ ହେଉଛି କି ନାହିଁ, ସେନେଇ ଅଧିକାରୀମାନେ ଯାଞ୍ଚ କରିଥିଲେ ବର୍ତ୍ତମାନ ସମୟରେ ଗ୍ରାମାଞ୍ଚଳରେ ସ୍ୱଚ୍ଛତା ଓ ପରିମଳକୁ ଅଧିକ ଗୁରୁତ୍ୱ ଦେବା ସହ ସ୍ୱଚ୍ଛ ପରିବେଶ ସୃଷ୍ଟି ଏବଂ ଲୋକଙ୍କୁ ସ୍ୱଚ୍ଛତା ପ୍ରତି ସଚେତନ କରିବା ଉପରେ ଅଧିକାରୀମାନେ ଗୁରୁତ୍ୱାରୋପ କରିଥିଲେ। ଉନ୍ନୟନ କାର୍ଯ୍ୟଗୁଡ଼ିକୁ ନିର୍ଦ୍ଧାରିତ ସମୟରେ ଓ ଉତ୍ତମ ମାନରେ ସମ୍ପନ୍ନ କରିବା ପାଇଁ ସମ୍ପୃକ୍ତ କର୍ମଚାରୀ ଓ ଅଧିକାରୀଙ୍କୁ ଆବଶ୍ୟକ ପରାମର୍ଶ ଦିଆଯାଇଥିଲା।ଏହି ତଦାରଖ ସମୟରେ ଗାଇସିଲେଟ ବ୍ଲକର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ କୈଳାଶ ଚନ୍ଦ୍ର ମେହେର, କନିଷ୍ଠ ଯନ୍ତ୍ରୀ ଅନୁଜ କୁମାର ଚନ୍ଦନ, ଜଗତବନ୍ଧୁ ମେହେର, ଅମିତ ଏକ୍କା, ବ୍ଲକ ସଂଯୋଜକ ରାଜେନ୍ଦ୍ର ପଣ୍ଡା ଏବଂ ମାଷ୍ଟର ଟ୍ରେନର ତରଣୀ ସେନ୍ ମହଲା ପ୍ରମୁଖ ଉପସ୍ଥିତ ଥିଲେ। ଏହାସହ ବିଭିନ୍ନ ଗ୍ରାମପଞ୍ଚାୟତର ସରପଞ୍ଚମାନଙ୍କ ସହ ଅଧିକାରୀମାନେ ଆଲୋଚନା କରି ଚାଲିଥିବା କାର୍ଯ୍ୟର ସ୍ଥିତି ଓ ଆବଶ୍ୟକତା ସମ୍ପର୍କରେ ଅବଗତ ହୋଇଥିଲେ। ଜିଲ୍ଲା ପରିଷଦ ଅଧିକାରୀଙ୍କ ଏହି ତଦାରଖ ଫଳରେ ଗାଇସିଲେଟ ବ୍ଲକରେ ଚାଲିଥିବା ଉନ୍ନୟନ, ସ୍ୱଚ୍ଛତା ଓ ପରିମଳ କାର୍ଯ୍ୟକୁ ଆହୁରି ଗତି ମିଳିବା ସହ ନିର୍ମାଣ କାର୍ଯ୍ୟର ଗୁଣବତ୍ତା ବଜାୟ ରହିବ ବୋଲି ଅଞ୍ଚଳବାସୀ ଆଶା ପ୍ରକାଶ କରିଛନ୍ତି।
