ବାଉଁଶଲୁଣ୍ଡି ସ୍ଥିତ ଲକ୍ଷ୍ମୀ ବିହାର ଲୋକଙ୍କ ଦୁଃଖ ବୁଝିବ କିଏ ?
ଭଞ୍ଜନଗର :୨୦/୦୮ (ପ୍ରଫୁଲ୍ଲ କୁମାର ମହାରଣା) ପଞ୍ଚାୟତରୁ ପୌର ପରିଷଦରେ ମିଶିଲା ବାଉଁଶଲୁଣ୍ଡି ପଞ୍ଚାୟତ। ଏହା ଶୁଣିବାକୁ ଯେତିକି ଖୁସି ଲାଗୁଛି ତାହାଠାରୁ ଅଧିକ କଷ୍ଟ ତାହାର ବାସ୍ତବିକ ଚିତ୍ର। ଲୋକଙ୍କ ଗମନାଗମନ, ଜଳ ଯୋଗାଣ, ନର୍ଦ୍ଦମା ପାଣି ନିଷ୍କାସନ, ଆଲୋକିକରଣ ଏହିପରି ବିଭିନ୍ନ ସୁବିଧା କରିବା ଦାୟୀତ୍ୱ ରହିଛି ଏବେ ପୌର ପରିଷଦର କିନ୍ତୁ ବାଉଁଶଲୁଣ୍ଡିସ୍ଥିତ ଲକ୍ଷ୍ମୀ ବିହାର ଲୋକଙ୍କ ପାଇଁ ଏହା ଏକ ସ୍ୱପ୍ନ। ସେମାନଙ୍କ ଦୁଃଖ ବୁଝିବ କିଏ? ପ୍ରକାଶଥାଉକି ୧୦/୧୫ ବର୍ଷ ପୂର୍ବରୁ ଚାଷ ବିଲ ଗୁଡିକୁ ଜମି ମାଫିଆ ମାନେ ପ୍ଳଟ୍ କରି ଘର କରିବା ପାଇଁ ଲୋକଙ୍କୁ ବିକ୍ରି କରିଦେଲେ। ଏହାର କୌଣସି ସାହି ବା ଘର ଉପଯୋଗି ପ୍ଳାନ୍ ନଥିଲା। ରାସ୍ତା ଏବଂ ପାଣି ନିଷ୍କାସନ ପାଇଁ କୌଣସି ସୁବିଧା ନଥାଇ ତିଆରି ହୋଇଗଲା ବଡ ବଡ କୋଠା। ଏବେ ଦେଖିବାକୁ ମିଳୁଛି ବିଭିନ୍ନ ସମସ୍ୟା। ଏହି ଲକ୍ଷ୍ମୀ ବିହାର ବାସିନ୍ଦା ଏବେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି। ସାହିରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୩୦ ପରିବାର ଘରକରି ରହିଥିବା ବେଳେ ସମସ୍ତେ ପ୍ରଶାସନ, ପୌର ପରିଷଦ ଅଧ୍ୟକ୍ଷ, ବିଧାୟକ ସମସ୍ତଙ୍କୁ ଏହି ସମସ୍ୟା ବିଷୟରେ ଅବଗତ କରିସୁଦ୍ଧା କୌଣସି ସୁଫଳ ମିଳିନଥିବା ଅଭିଯୋଗ ହେଉଛି। କିଛିଦିନ ପୂର୍ବରୁ ପଞ୍ଚାୟତ ସମିତି ତରଫରୁ ୧୦ଲକ୍ଷ ଟଙ୍କା ଅନୁଦାନରେ ହୋଇଥିବା ରାସ୍ତାରେ ଏବେ ଆଣ୍ଠୁଏ ଆଣ୍ଠୁଏ କାଦ। ପିଲାଙ୍କର ସ୍କୁଲ୍ ଯିବା ଠାରୁ ରୋଗୀଙ୍କୁ ମେଡିକାଲ୍ ନେବା ପର୍ଯ୍ୟନ୍ତ ସବୁ ପ୍ରକାର ସମସ୍ୟାର ଶିକାର ହେଉଛନ୍ତି ଲକ୍ଷ୍ମୀ ବିହାର ବାସିନ୍ଦା। କିଛିଦିନ ପୂର୍ବରୁ ପ୍ରବଳ ବର୍ଷା ହେତୁ ସାହିରେ ଅଣ୍ଟେ ଅଣ୍ଟେ ପାଣି ପୋଖରି ଭଳି ରହିଲା। ପୌର ପରିଷଦକୁ ଅବଗତ କଲାପରେ ତୁରନ୍ତ ପୌର ପରିଷଦ କର୍ମକର୍ତ୍ତା ସେହି ପାଣି ନିଷ୍କାସନ କରିବାର ବ୍ୟବସ୍ଥା କରିଥିଲେ। ଏହି ସମସ୍ୟାର ସ୍ଥାୟୀ ସମାଧାନ ସକାଶେ ଆମେ ପୌର ପରିଷଦ ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର ଏବଂ ଭଞ୍ଜନଗର ଉପ-ଜିଲ୍ଲାପାଳ ଉମା ଶଙ୍କର ବେହେରାଙ୍କୁ ସାକ୍ଷାତ କରିଥିଲୁ। ଅତିଶିଘ୍ର ଏହି ସମସ୍ୟାକୁ ଦୂର କରାଯିବ ବୋଲି ମତାମତ ଦେଇଛନ୍ତି। ସମୟ ହିଁ କହିବ ଲକ୍ଷ୍ମୀ ବିହାର ବାସୀଙ୍କ ଦୁଃଖ କେବେ ଯିବ?
