*ପିକେ ଏକାଡେମୀ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁଟ୍ ପକ୍ଷରୁ ୮୦ତମ ସ୍ୱାଧୀନତା ଦିବସ ପାଳିତ*
ସମ୍ବଲପୁର ୧୫/୦୫: (ଭଂଜଦୂତ )ପିକେ ଏକାଡେମୀ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁଟ୍ ଅଧୀନସ୍ଥ କୋଚିଂ, କମ୍ପ୍ୟୁଟର ସେଣ୍ଟର ଏବଂ କିଡ୍ସ କେଆର ପ୍ରି-ସ୍କୁଲ୍ ପକ୍ଷରୁ ଦେଶର ୮୦ତମ ସ୍ୱାଧୀନତା ଦିବସ ଉତ୍ସାହ ଓ ଦେଶପ୍ରେମର ପରିବେଶ ମଧ୍ୟରେ ପାଳିତ ହୋଇଯାଇଛି। ପିକେ ଏକାଡେମୀର ଅଧ୍ୟକ୍ଷା ଡ. ଶୋଭାମୟୀ ମହାପାତ୍ର ଏବଂ କିଡ୍ସ କେଆର ପ୍ରି-ସ୍କୁଲ୍ର ଅଧ୍ୟକ୍ଷା ଡ. ସ୍ୱର୍ଣ୍ଣମୟୀ ଜେନାଙ୍କ ତତ୍ତ୍ୱାବଧାନରେ ଏହି ସ୍ୱାଧୀନତା ଦିବସ ସମାରୋହ ଆୟୋଜିତ ହୋଇଥିଲା।
କାର୍ଯ୍ୟକ୍ରମରେ ବିଶିଷ୍ଟ ଚାଷୀନେତା ସରୋଜ ମହାନ୍ତି, ଅନୁଷ୍ଠାନର ଉପଦେଷ୍ଟା ସଞ୍ଜିତ ମହାନ୍ତି ଏବଂ ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ପ୍ରକାଶ ଡାଙ୍ଗ ମୁଖ୍ୟ ଅତିଥି ଓ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ପତାକା ଉତ୍ତୋଳନ ପରେ ଜାତୀୟ ସଙ୍ଗୀତ ପରିବେଷଣ ସହ ଦେଶର ସ୍ୱାଧୀନତା ପାଇଁ ତ୍ୟାଗ ଓ ବଳିଦାନ ଦେଇଥିବା ମହାନ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସ୍ମରଣ କରାଯାଇଥିଲା।
ଏହି ଅବସରରେ ଅତିଥିମାନେ ଦେଶ ଗଠନରେ ଯୁବପିଢ଼ି, ବିଶେଷକରି ଜେନ୍-ଜି ପିଢ଼ିର ଭୂମିକା ଉପରେ ଆଲୋକପାତ କରିଥିଲେ। ବର୍ତ୍ତମାନର ପରିବର୍ତ୍ତନଶୀଳ ସାମାଜିକ ଓ ପ୍ରଯୁକ୍ତିଭିତ୍ତିକ ପରିବେଶରେ ଯୁବପିଢ଼ି ନିଜର ଜ୍ଞାନ, ଦକ୍ଷତା, ଚିନ୍ତନଶକ୍ତି ଓ ସୃଜନଶୀଳତାକୁ ଦେଶର ଉନ୍ନତିରେ ବିନିଯୋଗ କରିବା ଆବଶ୍ୟକ ବୋଲି ସେମାନେ କହିଥିଲେ। ଏଥିସହ ସୋସିଆଲ୍ ମିଡିଆ ଓ ଡିଜିଟାଲ୍ ଯୁଗରେ ମିଥ୍ୟା ଓ ଅପପ୍ରଚାରକୁ ଏଡ଼ାଇ ସତ୍ୟକୁ ସାମ୍ନାକୁ ଆଣିବା ଏବଂ ଦାୟିତ୍ୱବାନ ନାଗରିକ ଭାବେ ନିଜର କର୍ତ୍ତବ୍ୟ ପାଳନ କରିବାକୁ ସମସ୍ତ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦିଆଯାଇଥିଲା।
ସ୍ୱାଧୀନତାର ୮୦ ବର୍ଷ ପରେ ଦେଶର ବର୍ତ୍ତମାନର ସ୍ଥିତି, ସ୍ୱାଧୀନତାର ପ୍ରକୃତ ଅର୍ଥ ଏବଂ ନାଗରିକଙ୍କ ଦାୟିତ୍ୱ ଭଳି ବିଷୟକୁ ନେଇ ପିକେ ଏକାଡେମୀ ପକ୍ଷରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତୃତା ଓ ସଙ୍ଗୀତ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଛାତ୍ରଛାତ୍ରୀମାନେ ନିଜର ବକ୍ତୃତା ଓ ସଙ୍ଗୀତ ମାଧ୍ୟମରେ ଦେଶପ୍ରେମ, ଜାତୀୟତା ଓ ଦେଶର ଭବିଷ୍ୟତ ସମ୍ପର୍କରେ ନିଜର ଭାବନା ପ୍ରକାଶ କରିଥିଲେ।
ସେହିପରି କିଡ୍ସ କେଆର ପ୍ରି-ସ୍କୁଲ୍ରେ କୁନି କୁନି ଛାତ୍ରଛାତ୍ରୀଙ୍କୁ ନେଇ ନୃତ୍ୟ ଓ ଡ୍ରେସ୍-ଅପ୍ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ବିଭିନ୍ନ ସ୍ୱାଧୀନତା ସଂଗ୍ରାମୀ ଓ ଦେଶର ମହାନ ବ୍ୟକ୍ତିତ୍ୱଙ୍କ ବେଶଭୂଷାରେ ସଜ୍ଜିତ ହୋଇ କୁନି କୁନି ପିଲାମାନେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ। ଏହା ସମଗ୍ର କାର୍ଯ୍ୟକ୍ରମକୁ ଆହୁରି ଆକର୍ଷଣୀୟ ଓ ଉତ୍ସବମୁଖର କରିଥିଲା।
କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ, କର୍ମଚାରୀ, ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଉପସ୍ଥିତ ରହି ସ୍ୱାଧୀନତା ଦିବସର ଗୌରବମୟ ଅବସରକୁ ସାକ୍ଷୀ ହୋଇଥିଲେ। ଦେଶର ଏକତା, ଅଖଣ୍ଡତା, ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ଦାୟିତ୍ୱବାନ ନାଗରିକତାର ସନ୍ଦେଶ ସହ କାର୍ଯ୍ୟକ୍ରମର ସମାପନ ହୋଇଥିଲା।
