ତାଳଚେର ପୌର ପରିଷଦର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ
ତାଳଚେର, ୧୬/୦୮:(ନିପ୍ର ) ରିପୋର୍ଟ ମନୋଜ ରାଉତ:(ଭଞ୍ଜଦୂତ ଖବର କାଗଜ)ତାଳଚେର ପୌର ପରିଷଦର ବିକାଶ ତଥା ଜନସାଧାରଣଙ୍କ କଲ୍ୟାଣ ଉଦ୍ଦେଶ୍ୟରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ ସମାରୋହ ଆୟୋଜିତ ହୋଇଯାଇଛି। ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ସମ୍ବଲପୁର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇଥିଲେ।
ସମାରୋହରେ ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣି, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଏବଂ ତାଳଚେର ନଗରପାଳ ପବିତ୍ର ଭୁତିଆଙ୍କ ସମେତ ବିଭିନ୍ନ ଜନପ୍ରତିନିଧି, ପୌର ପରିଷଦର କର୍ମକର୍ତ୍ତା ଓ ସ୍ଥାନୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
ଜିଲ୍ଲା ଖଣିଜ ପାଣ୍ଠି (DMF), ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା ଏବଂ ଅନ୍ୟାନ୍ୟ ସରକାରୀ କାର୍ଯ୍ୟକ୍ରମ ଜରିଆରେ ତାଳଚେରରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଆରମ୍ଭ ହୋଇଥିବା ଜଣାପଡ଼ିଛି। ବିଶେଷକରି ସଡ଼କ, ଶିକ୍ଷା, ସ୍ୱାସ୍ଥ୍ୟ, କୃଷି ଓ ଆନୁଷଙ୍ଗିକ ଭିତ୍ତିଭୂମିର ବିକାଶ ଉପରେ ଗୁରୁତ୍ୱ ଦିଆଯାଉଛି।
ଏହି ପ୍ରକଳ୍ପଗୁଡ଼ିକ ତାଳଚେରର ସାମଗ୍ରିକ ବିକାଶ ସହିତ ସ୍ଥାନୀୟ ଲୋକଙ୍କ ଜୀବନଯାପନକୁ ଅଧିକ ସୁଗମ କରିବ ବୋଲି ସମାରୋହରେ ଆଶା ପ୍ରକାଶ କରାଯାଇଥିଲା। ଦୀର୍ଘଦିନ ଧରି ତାଳଚେରବାସୀ ଭୋଗୁଥିବା ବିଭିନ୍ନ ମୌଳିକ ସମସ୍ୟାର ସମାଧାନ ସହ ଉନ୍ନତ ଭିତ୍ତିଭୂମି ନିର୍ମାଣ ଦିଗରେ ଏହି ପ୍ରକଳ୍ପଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ମତ ପ୍ରକାଶ ପାଇଥିଲା।
ସମାରୋହରେ ଯୋଗଦେଇଥିବା ଅତିଥିମାନେ ତାଳଚେରର ସାମଗ୍ରିକ ବିକାଶ, ନାଗରିକ ସୁବିଧା ବୃଦ୍ଧି ଓ ଜନସାଧାରଣଙ୍କ କଲ୍ୟାଣ ଉପରେ ଗୁରୁତ୍ୱାରୋପ କରିଥିଲେ। ଆଗାମୀ ଦିନରେ ଏଭଳି ଅଧିକ ଉନ୍ନୟନମୂଳକ ପ୍ରକଳ୍ପ ମାଧ୍ୟମରେ ତାଳଚେରକୁ ଏକ ସୁବ୍ୟବସ୍ଥିତ ଓ ବିକଶିତ ଅଞ୍ଚଳ ଭାବେ ଗଢ଼ିତୋଳିବା ଦିଗରେ ପଦକ୍ଷେପ ଜାରି ରହିବ ବୋଲି କୁହାଯାଇଛି।
