କଳାହାଣ୍ଡି ଜିଲ୍ଲାସ୍ତରୀୟ ୮୦ତମ ସ୍ଵାଧୀନତା ଦିବସ ପାଳିତ ।
(କଳାହାଣ୍ଡି.ରମେଶ ଅଗ୍ରୱାଲ.:ନିପ୍ର)
ଭବାନୀପାଟଣା: ତା. ୧୫.୦୮.୨୦୨୬ କଳାହାଣ୍ଡି ଜିଲ୍ଲାସ୍ତରୀୟ ୮୦ତମ ସ୍ଵାଧୀନତା ଦିବସ ସ୍ଥାନୀୟ ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରାତଃ ସହରରେ ରାମଧୁନ୍, ପ୍ରଭାତ ଫେରି, ସହର ସ୍ଥିତ ମହାପୁରୁଷ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା । ସ୍ଥାନୀୟ ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍ ଠାରେ ମହାସମାରୋହରେ ପ୍ୟାରେଡ ଉତ୍ସବ ଅନୁଷ୍ଠିତ ହୋଇଥିଲା, ଏଥିରେ ମୁଖ୍ୟ ଅତିଥି ଭାବେ ଶ୍ରୀ କନକ ବର୍ଦ୍ଧନ ସିଂ ଦେଓ, ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଂଶକ୍ତିକରଣ ବିଭାଗ ଓ ଶକ୍ତି ବିଭାଗ, ଓଡିଶା ସରକାର ଯୋଗଦେଇ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରି ସମ୍ମିଳିତ ପ୍ୟାରେଡ ପରିଦର୍ଶନ, ପ୍ୟାରେଡ ର ଅଭିବାଦନ ଗ୍ରହଣ କରି ସମବେତ ଜନସାଧାରଣ ଙ୍କୁ ଉଦବୋଧନ ଦେଇଥିଲେ । ମୁଖ୍ୟ ଅତିଥି ତାଙ୍କ ବକ୍ତବ୍ୟରେ ଭାରତର ଯେଉଁ ସ୍ଵାଧୀନତା ସଂଗ୍ରାମୀ, ମହାପୁରୁଷଙ୍କ ଅକ୍ଲାନ୍ତ ପରିଶ୍ରମ, ତ୍ୟାଗ ଓ ବଳିଦାନ ରେ ଭାରତ ର ସ୍ୱାଧୀନତା ପ୍ରାପ୍ତି ହୋଇଥିଲା ତାଙ୍କର ସ୍ମୃତି ଚାରଣ କରି ଜାତି ବର୍ଣ୍ଣ, ଧର୍ମ ନିର୍ବିଶେଷରେ ସମସ୍ତେ ଏକଜୁଟ ହୋଇ ଦେଶର ଏକତା ଅଖଣ୍ଡତା କୁ ବଜାଇ ରଖିବା ସହିତ ଜିଲ୍ଲା ତଥା ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ଓ ବିକାଶ ପଥରେ ସମସ୍ତଙ୍କର ସହଯୋଗର ଆବଶ୍ୟକତା ରହିଛି ବୋଲି ଉଲ୍ଲେଖ କରି ସରକାରଙ୍କର ବିଭିନ୍ନ ଉନ୍ନୟନ ମୂଳକ ଯୋଜନାର ଅଗ୍ରଗତି ସମ୍ପର୍କରେ ସୂଚନା ଦେଇଥିଲେ । ସ୍ଵାଧୀନତା ସଙ୍ଗ୍ରାମରେ କଳାହାଣ୍ଡି ଜିଲ୍ଲାର ମଧ୍ୟ ଭୂମିକା ରହିଛି ଏ ମାଟିର ବୀର ସ୍ଵାଧୀନତା ସଂଗ୍ରାମୀ ରେଣ୍ଡୋ ମାଝି ବ୍ରିଟିଶ୍ ସରକାର ବିରୋଧରେ ଲଢ଼େଇ କରି ନିଜର ଦେଶ ମାତୃକା, ମାଟି ପାଇଁ ସହିଦ୍ ହୋଇଥିଲେ । ସେହି ବୀର ସ୍ଵାଧୀନତା ସଂଗ୍ରାମୀ ଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି, କଳାହାଣ୍ଡି ର କଳା ସଂସ୍କୃତି, ପରମ୍ପରା ମହାନ୍ ଓ ଉଚ କୋଟିର ଏହି ଜିଲ୍ଲାର ଶିକ୍ଷା,ସ୍ୱାସ୍ଥ୍ୟ ,କୃଷି,ଗମନାଗମନ, ପର୍ଯ୍ୟଟନ, ଜଳସେଚନ ଇତ୍ୟାଦି ର ଉନ୍ନତି ଓ ବିକାଶ ନିମନ୍ତେ ସରକାରଙ୍କ ପ୍ରଚେଷ୍ଟା ଜାରିରହିଛି ବୋଲି ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ ଶ୍ରୀ ସିଂ ଦେଓ ପ୍ରକାଶ କରିଥିଲେ । ଏହି ଅବସରରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ମୁଖ୍ୟ ଅତିଥି ଙ୍କ ଦ୍ଵାର ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ଆରକ୍ଷୀ ଅଧିକ୍ଷକ ନାଗରାଜ ଦେବରକୋଣ୍ଡା, ଅତିରିକ୍ତ ଜିଲାପାଳ(ସାଧାରଣ) ତନ୍ମୟ କୁମାର ଦରୱାନ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ବଇତୁରା ଦୀପ, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ସୌମ୍ୟ ରଞ୍ଜନ ପ୍ରଧାନ, ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଦିନେଶ କୁମାର କହଁର, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରୂପସିଂ ରାଉତ, ଜିଲ୍ଲା କ୍ରୀଡା ଅଧିକାରୀ ରମେଶ ଚନ୍ଦ୍ର ପାଢୀ ଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, ଜନପ୍ରତିନିଧି, ବରିଷ୍ଟ ନାଗରିକ, ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି, ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ବିଭିନ୍ନ ଅନୁଷ୍ଠାନ ର କର୍ମକର୍ତ୍ତା ପ୍ରମୂଖ ଯୋଗଦେଇ ଥିଲେ । ମିଳିତ ପ୍ୟାରେଡ ରେ ପୋଲିସ ବାହିନୀ, ହୋମ ଗାର୍ଡ, ପୋଲିସ୍ ବ୍ୟାଣ୍ଡ ଙ୍କ ସମେତ ବିଭିନ୍ନ ବିଦ୍ୟାଳୟ ମହାବିଦ୍ୟାଳୟ ରୁ ୪୫ ଗୋଟି ଦଳ ଅଂଶଗ୍ରହଣ କରି ଆକର୍ଷଣୀୟ ପରେଡ୍ ପ୍ରଦର୍ଶନ କରିଥିଲେ, ବିଜେତା ଦଳକୁ ମୁଖ୍ୟ ଅତିଥି ଙ୍କ ଦ୍ଵାରl ସିଲଡି, ଟ୍ରଫି ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମକୁ ଅଧ୍ୟକ୍ଷ, ବାଲ ଗୋପାଳ ସେବା ନିକେତନ ଶ୍ରୀ ହେମନ୍ତ କୁମାର ମୁଣ୍ଡ ପରିଚାଳନା କରିଥିଲେ । ପ୍ୟାରେଡ ପ୍ରତିଯୋଗିତା ର ଜଜ ଭାବରେ ଡଃ ଅଜୟ କୁମାର ମିଶ୍ର ଅବସର ପ୍ରାପ୍ତ ପ୍ରିନ୍ସିପାଲ, ପ୍ରେମାନନ୍ଦ ବାଗ ଅବସରରେ ପ୍ରାପ୍ତ ବରିଷ୍ଠ ଜେଲ ସୁପରିଟଣ୍ଡେଣ୍ଟ, ଦୁର୍ଗା ଚରଣ ମିଶ୍ର ଅବସରପ୍ରାପ୍ତ ଅତିରିକ୍ତ ଏସ୍.ପି କାର୍ଯ୍ୟ ତୁଲାଇଥିଲେ । ପ୍ୟାରେଡ ଉତ୍ସବ ପରେ ମୁଖ୍ୟ ଅତିଥି ଚତୁର୍ଥ ଶ୍ରେଣୀ କର୍ମଚାରୀ ଭବନ ଠାରେ ଅଣଗେଜେଟେଡ଼ କର୍ମଚାରୀ ସଂଘ ଓ ଶ୍ରୀ ଶ୍ରୀ ବାଲୁଙ୍କେଶ୍ଵର ମନ୍ଦିର କମିଟ ଆନୁକୁଲ୍ୟରେ ଅନୁଷ୍ଠିତ ରକ୍ତ ଦାନ ଶିବିର ଉଦଘାଟନ କରିଥିଲେ, ତା’ପରେ ଜିଲ୍ଲା କରାଗାର ଓ ବାଳସୁଧାର ଗୃହ ପରିଦର୍ଶନ କରି ଅନ୍ତେବାସୀଙ୍କୁ ଫଳ ଓ ମିଷ୍ଟାନ୍ନ ବଣ୍ଟନ କରିଥିଲେ । ମଧ୍ୟାହ୍ନ ରେ କୃଷି ଓ ଉଦ୍ୟାନ ବିଭାଗ ର ଅଧିକାରୀ ତଥା ଜିଲ୍ଲାର ଉଚ୍ଚ ଅଧିକାରୀ ମାନଙ୍କୁ ନେଇ ସ୍ଥାନୀୟ ସର୍କିଟ ହଉସେ ରେ ଏକ ସମୀକ୍ଷା ବୈଠକ କରି ବିଭାଗୀୟ ଅଧିକାରୀଙ୍କୁ କୃଷି ସମ୍ୱନ୍ଧୀୟ ଗୁରୁତ୍ୱ ପୂର୍ଣ୍ଣ ନିର୍ଦେଶ ପ୍ରଦାନ କରି ଥିଲେ l
ସନ୍ଧ୍ୟାରେ ସ୍ଥାନୀୟ ଟାଉନ ହଲ ଠାରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ, ଜିଲ୍ଲା ସଂସ୍କୃତି ପରିଷଦ ତରଫରୁ ପୁରସ୍କାର ବିତରଣ ଉତ୍ସବ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲାପାଳ ତନ୍ମୟ କୁମାର ଦରୱାନ,ସମ୍ମାନିତ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ରାଧାକାନ୍ତ ଛତ୍ରୀ, ଉପନିର୍ଦେଶକ ଜିଲ୍ଲା ଯୋଜନା ଓ ପର୍ଯ୍ୟବେକ୍ଷଣ ଶ୍ରୀକାନ୍ତ ଦଳେଇ, ଗୋଷ୍ଠୀଉନ୍ନୟନ ଅଧିକାରୀ ଭବାନୀପାଟଣା ଚନ୍ଦନ କୁମାର ଭୋଇ, ତହସିଲଦାର ଭବାନୀପାଟଣା ଖିରୋଦ କୁମାର ନାଗ, ଗୋଷ୍ଠୀ ଉନ୍ନୟନ ଅଧିକାରୀ ନର୍ଲା ବିପିନ ବିହାରୀ ଦୀପ, ଡ. ନିହାରେନ୍ଦ୍ର ପଣ୍ଡା, ଶ୍ରୀ ଅଜୟ ମିଶ୍ର, ଶ୍ରୀ ଉମେଶ ଶତପଥି, ଭାରପ୍ରାପ୍ତ ଜିଲ୍ଲା ସୂଚନା ତଥା ଲୋକସମ୍ପର୍କ ଅଧିକାରୀ ତଥା ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଦିନେଶ କୁମାର କହଁର, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରୂପସିଂ ରାଉତ, ଯୋଗଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମ କୁ ବିରଞ୍ଚି ନାରାୟଣ ମୁଣ୍ଡ ପରିଚାଳନା କରିଥିଲେ, ଏଥିରେ ରବି ପ୍ରସାଦ କାନୁନଗୋ, ଶୁଭେନ୍ଦୁ କୁମାର ବେହେରା, ସଞ୍ଜୟ କୁମାର ମିଶ୍ର ତଥା ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ର କର୍ମଚାରୀ ବୃନ୍ଦ ଗୁଣସାଗର ସାହୁ, ଅବିନାଶ ମୁଣ୍ଡ ଓ ଶଙ୍କର ଦିଶାରୀ ପ୍ରମୁଖ ସହଯୋଗ କରିଥିଲେ । ବିଭିନ୍ନ ଅନୁଷ୍ଠାନ ରୁ ୨୫ ଗୋଟି ସାଂସ୍କୃତିକ ଦଳ ସାଂସ୍କୃତିକ ସନ୍ଧ୍ୟା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।
