“ବିଦ୍ୟା ଭାରତୀ ଶିକ୍ଷା ଅନୁଷ୍ଠାନରେ ୮୦ତମ ସ୍ଵାଧୀନତା ଦିବସ ପାଳିତ ”
ବାରିପଦା :- ସ୍ଥାନୀୟ ମଧୁବନ ସ୍ଥିତ ଶିକ୍ଷାନୁଷ୍ଠାନ ‘ବିଦ୍ୟା ଭାରତୀ’ ପରିସରରେ “୮୦ତମ ସ୍ଵାଧୀନତା ଦିବସ” ଅତ୍ୟନ୍ତ ଆନନ୍ଦ ଓ ଉଲ୍ଲାସର ସହ ପାଳିତ ହୋଇଯାଇଛି। ଇତ୍ୟବସରରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ବିଶିଷ୍ଟ ସମାଜସେବୀ ତଥା ବାରିପଦା ପୌରପାଳିକାର ମାନ୍ୟବର କାଉନସିଲର ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ କଷ୍ଟଲବ୍ଧ ସ୍ଵାଧୀନତା ପ୍ରାପ୍ତିରେ ଦେଶ ପାଇଁ ଜୀବନ ଉତ୍ସର୍ଗ କରିଥିବା ବୀର ପୁରୁଷମାନଙ୍କର ପଦାଙ୍କ ଅନୁସରଣ କରିବାକୁ ପ୍ରେରଣା ଦେଇଥିଲେ । ସମ୍ମାନନୀୟ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ସାମ୍ବାଦିକ ତଥା ଅନୁଷ୍ଠାନର ଉପଦେଷ୍ଟା ଶ୍ରୀଯୁକ୍ତ ସନ୍ତୋଷ କୁମାର ବରାଜ ଛାତ୍ରଛାତ୍ରୀମାନଙ୍କୁ ଦେଶ ମାତୃକାର ଗୌରବ ଅକ୍ଷୁର୍ଣ୍ଣ ରଖିବାକୁ ପରାମର୍ଶ ଦେଇଥିଲେ।
ଅନୁଷ୍ଠାନର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ଶ୍ରୀଯୁକ୍ତ ଅକ୍ଷୟ କୁମାର ମିଶ୍ରଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶିକାରେ ପରିଚାଳିତ କାର୍ଯ୍ୟକ୍ରମ, ଉପଦେଷ୍ଟା ଶ୍ରୀମତୀ ସ୍ମିତାମୟୀ ରଥ ଓ ଶିକ୍ଷକ ଓମ୍ ପ୍ରକାଶ ବେହେରାଙ୍କ ମିଳିତ ତତ୍ତ୍ୱାବଧାନରେ ସଫଳତାର ସହ ସମ୍ପନ୍ନ ହୋଇଥିଲା। ଛାତ୍ରୀ ମାନ୍ଭୀ ଦଳେଇ, ଆକାଂକ୍ଷା ପ୍ରିୟଦର୍ଶିନୀ ଜେନା ଓ ରାଜଲକ୍ଷ୍ମୀ ଷଢଙ୍ଗୀ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଶେଷରେ ଶିକ୍ଷକ ଦୀପକ ପାଲ୍ ଏବଂ ଆକାଶ ବାରିକଙ୍କ ସହଯୋଗ କ୍ରମେ ମୁଖ୍ୟ ଅତିଥିଙ୍କ ଦ୍ୱାରା ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା।
