ଆକ୍ସନ ମୋଡ୍ରେ ଆସିକା ପୋଲିସ: ୫ ଚୋରି ବାଇକ୍ ଜବତ, ୩ ଆନ୍ତଃଜିଲ୍ଲା ଚୋର ଗିରଫ
ଆସିକା, (ରିପୋର୍ଟ:- ଦୁର୍ଗାମାଧବ ପାଢ଼ୀ)
ଆସିକା ଏବଂ ଏହାର ଆଖପାଖ ଅଞ୍ଚଳରେ ଚୋରି ବାଇକ୍ ର୍ୟାକେଟ୍ ବିରୋଧରେ ଆସିକା ପୋଲିସ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୫ଟି ଚୋରି ବାଇକ୍ ଜବତ କରିବା ସହ ଏଥିରେ ସଂପୃକ୍ତ ୩ ଜଣ ଶାତିର ଚୋରଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତମାନେ ଆନ୍ତଃଜିଲ୍ଲା ବାଇକ୍ ଚୋରି ଗ୍ୟାଙ୍ଗ୍ର ସଦସ୍ୟ ବୋଲି ଜଣାପଡ଼ିଛି।ମିଳିଥିବା ସୂଚନା ଅନୁଯାୟୀ, ଗତ କିଛି ଦିନ ହେବ ଆସିକା ଥାନା ଅଞ୍ଚଳରୁ ବାରମ୍ବାର ମୋଟରସାଇକେଲ ଚୋରି ହେଉଥିବା ନେଇ ଅଭିଯୋଗ ହେଉଥିଲା। ଏହାକୁ ଗମ୍ଭୀରତାର ସହ ନେଇ ଆସିକା ଥାନା ଅଧିକାରୀଙ୍କ ନିର୍ଦ୍ଦେଶରେ ପୋଲିସ ଏକ ସ୍ୱତନ୍ତ୍ର ସ୍କ୍ୱାଡ୍ ଗଠନ କରି ବିଭିନ୍ନ ଛକ ସ୍ଥାନରେ ଯାଞ୍ଚ କଡ଼ାକଡ଼ି କରିଥିଲା। ଏହି ସମୟରେ ସନ୍ଦେହଜନକ ଭାବେ ବୁଲୁଥିବା କିଛି ଯୁବକଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ବାଇକ୍ ଚୋରିର ସମସ୍ତ ଚେର ପଦାକୁ ଆସିଥିଲା। ଅଭିଯୁକ୍ତଙ୍କ ନିଶାଦେଦୀରେ ପୋଲିସ ଚୋରା ବାଇକ୍ ଗୁଡ଼ିକୁ ଜବତ କରିଛି। ଗିରଫ ୩ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ବେଳେ ଏହି ର୍ୟାକେଟ୍ରେ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି, ସେ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।
