ବସ୍ ଦୁର୍ଘଟଣାରେ ଅଟୋ ଚାଳକ ମୃତ, ଜଣେ ଗୁରୁତର।
ରଘୁନାଥପୁର( ନି.ପ୍ର ): ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ ତାରପୁର ଗ୍ରାମର ଅଭୟ ରାଉତ ଙ୍କ ପୁଅ ତନ୍ମୟ କୁମାର ରାଉତ(୨୪) ଏକ ସଡକ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ବେଳେ ଅଟୋ ରେ ବସିଥିବା ଏହି ପଞ୍ଚାୟତ ଅନ୍ତର୍ଗତ ଖଣ୍ଡତରି ଗ୍ରାମର ସୌଭାଗ୍ୟ ରଞ୍ଜନ ବିଶ୍ଵାଳ ଗୁରୁତର ଅବସ୍ଥାରେ ଏସ୍ ସି ବି ମେଡିକାଲ କଲେଜରେ ଚିକିତ୍ସାଧିନ ଅଛନ୍ତି। ଏହି ଅଟୋଟି କଟକରୁ ଘରକୁ ଫେରୁଥିବା ବେଳେ କଟକ ସ୍ଥିତ ବିଦ୍ୟାଧରପୁର ସି ଆର ଆର ଆଇ ଫାର୍ମ ନିକଟରେ ଏକ ଷଣ୍ଡ ଅଟୋ ଆଗକୁ ପଶି ଆସିବାରୁ ତାକୁ ବଞ୍ଚାଇବାକୁ ଯାଇ ବସ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା ଓ ସେଥିରେ ତନ୍ମୟ ଗୁରୁତର ଅବସ୍ଥାରେ ଥିଲେ। ଘଟଣା ସ୍ଥଳରେ ସ୍ଥାନୀୟ ଲୋକେ ଓ ସି ଆର ଆର ଆଇ ଥାନା କର୍ତ୍ତୁପକ୍ଷ ପହଂଚି ରକ୍ତାକ୍ତ ଦୁଇ ବ୍ୟକ୍ତିଙ୍କୁ ଡାକ୍ତରଖାନା ପଠାଇବା ସହ ଦୁଇ ବସ୍ ଓ ଅଟୋ କୁ ଜବତ କରିଥିଲେ। ଡାକ୍ତରଖାନା ରେ ତନ୍ମୟକୁ ଡାକ୍ତର ମୃତ ଘୋଷଣା କରିଥିଲେ ଓ ଶବ ବ୍ୟବଚ୍ଛେଦ କରି ଘରକୁ ରାତିରେ ଆଣିବା ପରେ ଶହଶହ ସାଙ୍ଗସାଥି, ଦୋକାନୀ ଓ ବନ୍ଧୁ ବାନ୍ଧବ ଙ୍କ ଭିଡ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ତନ୍ମୟର ମୃତ୍ୟୁ ଖବର ପାଇ ତାରପୁର ସରପଞ୍ଚ ସୁସମା ମଲ୍ଲିକ, ସମିତି ସଭ୍ୟ ପୂଜାଲତା ଦାସ, ପୂର୍ବତନ ସରପଞ୍ଚ ପ୍ରତାପ ଚନ୍ଦ୍ର ରାଉତ, ସରୋଜ କୁମାର ଦାସ, ପ୍ରଭାକର ମଲ୍ଲିକ, ପୂର୍ବତନ ସମିତି ସଭ୍ୟ ଅନ୍ତର୍ଯ୍ୟାମୀ ରାଉତ, ସରୋଜ କୁମାର ଦାସ ( ଶଙ୍କରା ନନା ), ଚନ୍ଦ୍ର ଶେଖର ସିଂହ, ଜ୍ଞାନରଞ୍ଜନ ଦାସ ଓ ଆଲୋକ ଜ୍ୟୋତି ନନ୍ଦ ଙ୍କ ସମେତ ବହୁ ବିଶିଷ୍ଠ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ତନ୍ମୟ ଙ୍କ ମୃତ୍ୟୁ ଘଟଣା କୁ ନେଇ ତାରପୁର ବଜାର କମିଟି ପକ୍ଷରୁ ସୋମବାର ଦିନ ସମସ୍ତ ଦୋକାନ ବଜାର ଗୋଟିଏ ଦିନ ପାଇଁ ବନ୍ଦ ହୋଇଥିଲା।
