ଗ୍ରାମ୍ୟ ପରିମଳର ନଗ୍ନ ଚିତ୍ର: ପୁରା ଗାଁ ସହ ପୁରାତନ ରାଧାକୃଷ୍ଣ ମନ୍ଦିର ଗେଟ୍ ସମ୍ମୁଖରେ ଅନାବନା ଗଛର ସାମ୍ରାଜ୍ୟ, ଶ୍ରୀହୀନ ପୀଠ।
ଶେରଗଡ (ରିପୋର୍ଟ:- ରାଜକିଶୋର ସାବତ)
ସରକାରଙ୍କ ଗ୍ରାମ୍ୟ ସ୍ୱଚ୍ଛତା ଓ ପରିମଳ ଯୋଜନା କେମିତି କାଗଜପତ୍ରରେ ଚାଲିଛି, ତାର ଏକ ନଗ୍ନ ଚିତ୍ର ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଅନ୍ତର୍ଗତ ପରମାନନ୍ଦପୁର ଗ୍ରାମରେ ଦେଖିବାକୁ ମିଳିଛି। ସ୍ଥାନୀୟ ପଞ୍ଚାୟତ ପ୍ରଶାସନର ଘୋର ଉଦାସୀନତା ଯୋଗୁଁ ସମ୍ପୂର୍ଣ୍ଣ ଗ୍ରାମ ଏବେ ଆବର୍ଜନାର ସ୍ତୂପ ପାଲଟିଥିବା ବେଳେ ଗ୍ରାମର ପ୍ରସିଦ୍ଧ ପୁରାତନ ରାଧାକୃଷ୍ଣ ମନ୍ଦିର ପରିସର ମଧ୍ୟ ଏଥିରୁ ବାଦ୍ ପଡ଼ିନାହିଁ। ମନ୍ଦିରର ମୁଖ୍ୟ ପ୍ରବେଶ ଦ୍ୱାର ସମ୍ମୁଖରେ ଅନାବନା ଗଛଲତା ଓ ଜଙ୍ଗଲର ସାମ୍ରାଜ୍ୟ ଗଢ଼ି ଉଠିଥିବା ବେଳେ ପବିତ୍ର ପୀଠଟି ସମ୍ପୂର୍ଣ୍ଣ ଶ୍ରୀହୀନ ହୋଇପଡ଼ିଛି।ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ସାରା ଗାଁର ନାଳନର୍ଦ୍ଦମା ସଫା କରାଯାଉ ନଥିବାରୁ ରାସ୍ତାଘାଟରେ ଅପରିଷ୍କାର ପରିବେଶ ସୃଷ୍ଟି ହେଉଛି। ଏହା ସହିତ ରାଧାକୃଷ୍ଣ ମନ୍ଦିର ଗେଟ୍ ଆଗରେ କାଦୁଅ, ପଙ୍କ ଏବଂ ଆବର୍ଜନା ଜମି ରହିବା ଫଳରେ ସାମଗ୍ରିକ ବାତାବରଣ ଦୂଷିତ ହେବାରେ ଲାଗିଛି। ବିଶେଷ କରି ଚଳିତ ବର୍ଷା ଦିନେ ଭକ୍ତ ଓ ଶ୍ରଦ୍ଧାଳୁମାନେ କାଦୁଅ ସରସର ରାସ୍ତାରେ ମନ୍ଦିର ଭିତରକୁ ଯିବା ଆସିବା କରିବାରେ ଚରମ ହନ୍ତସନ୍ତ ହେଉଛନ୍ତି। ପର୍ବପର୍ବାଣୀ ସମୟରେ ମଧ୍ୟ ମନ୍ଦିର ଆଗକୁ ସଫା କରାଯାଉ ନଥିବାରୁ ସ୍ଥାନୀୟ ମହିଳା ଓ ବୃଦ୍ଧବୃଦ୍ଧାମାନେ ଦର୍ଶନ ପାଇଁ ଆସି ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।ଏହି ସାଙ୍ଘାତିକ ପରିମଳ ବ୍ୟବସ୍ଥା ଏବଂ ଐତିହ୍ୟ ପୀଠର ଦୁର୍ଦ୍ଦଶା ପ୍ରତି ନା ସ୍ଥାନୀୟ ପଞ୍ଚାୟତର ନଜର ଅଛି ନା ଦେବୋତ୍ତର ବିଭାଗ କୌଣସି ପଦକ୍ଷେପ ନେଉଛି। ତୁରନ୍ତ ସମ୍ପୂର୍ଣ୍ଣ ପରମାନନ୍ଦପୁର ଗ୍ରାମ ସମେତ ରାଧାକୃଷ୍ଣ ମନ୍ଦିର ସିଂହଦ୍ୱାର ସମ୍ମୁଖରୁ ଅନାବନା ଗଛଲତା ସଫା କରିବା ଏବଂ ମନ୍ଦିରକୁ ଏକ ସୁଗମ ରାସ୍ତା ନିର୍ମାଣ କରିବା ପାଇଁ ଅଞ୍ଚଳବାସୀ ପ୍ରଶାସନ ନିକଟରେ ଦାବି କରିଛନ୍ତି।
