ମାଇନ୍ସ ଅଧିକାରୀଙ୍କ ଦ୍ଵାରା ଗଚ୍ଛିତ ଅନୈତିକ ବାଲି ଜବତ।
ମାଲକାନଗିରି -୦୬/୦୮/୨୦୨୬
ରିପୋର୍ଟ (ସୁକୁମାର ମଣ୍ଡଳ)
ବିନା ଲିଜ ଏବଂ ରୟାଲଟି ପେମେଣ୍ଟ ବାଲି ଉତ୍ତୋଳନ, ସଂରକ୍ଷଣ ଏବଂ ପରିବହନ ସଂପୂର୍ଣ୍ଣ ବେଆଇନ ଅଟେ। ମାଇନ୍ସ ଏବଂ ମିନେରାଲ୍ସ ଆକ୍ଟ ୧୯୫୭ ଏମ ଏମ ଡି ଆର ଆକ୍ଟ ଅନୁସାରେ ଏହି ଆଇନ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କୁ ୫ ଲକ୍ଷ ଟଙ୍କା ଜରିମାନା ସହିତ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ହେବାର ମଧ୍ୟ ସମ୍ଭାବନା ଥାଏ। ତାହାଛଡ଼ା ଏଭଳି କାର୍ଯ୍ୟରେ ନିୟୋଜିତ ଯାନ ଗୁଡିକ ଯବତ ହେବାର ମଧ୍ୟ ସମ୍ଭାବନା ଥାଏ। କିନ୍ତୁ ଏହି ସରକାରୀ ଆଇନକୁ ନ ଡରି, ସରକାରୀ ରାଜସ୍ୱ ହଡ଼ପ କରି କିଛି ଅସାଧୁ ବ୍ୟବସାୟୀ ସେମାନଙ୍କ ବ୍ୟବସାୟ ଜାରି ରଖିଛନ୍ତି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାର ମାଥିଲି ବ୍ଲକ ଅନ୍ତର୍ଗତ ପାଙ୍ଗାମ ଗ୍ରାମରେ।ଗୁପ୍ତ ସୂଚନା ଆଧାରରେ ଗତ ୦୩/୦୮/୨୬ ତାରିଖରେ ଜୁନିୟର ମାଇନିଂ ଅଫିସର ଶ୍ରୀଯୁକ୍ତ ସରୋଜ ମଲ୍ଲିକଙ୍କ ତତ୍ତ୍ୱାବଧାନରେ ପାଙ୍ଗାମ ଗ୍ରାମରେ ପ୍ଲଟ ନମ୍ବର ୫୭୩ ଏବଂ ଖାତା ନମ୍ବର ୪୮ ଉପରେ ଗଚ୍ଛିତ କରି ରଖାଯାଇଥିବା ବାଲିକୁ ଚଢ଼ାଉ କରିଥିଲେ। ଏହି ବାଲି ୫୭୩ ନଂ ପ୍ଲଟ ଉପରେ ୪ ଗୋଟି ସ୍ଥାନରେ ଗଚ୍ଛିତ କରି ରଖାଯାଇଥିଲା। ଚାରିଗୋଟି ସ୍ଥାନରେ ରଖାଯାଇଥିବା ବାଲି ସମୁଦାୟ ୭୫୬’୭ ଘନ ମିଟର୍ ହେବ ବୋଲି ଶ୍ରୀଯୁକ୍ତ ମଲ୍ଲିକ ସୂଚନା ଦେଇଛନ୍ତି। ଯାହାର ଆନୁମାନିକ ମୂଲ୍ୟ ଏକ ଲକ୍ଷ ଚାଲିଶ ହଜାର ହେବ ବୋଲି ଅନୁମାନ କରାଯାଉଛି। ଜୁନିୟର ମାଇନ୍ସ ଅଧିକାରୀ ଶ୍ରୀଯୁକ୍ତ ସରୋଜ ମଲ୍ଲିକଙ୍କ ସୂଚନା ଅନୁସାରେ ଏହି ଅନୈତିକ ଭାବେ ରଖାଯାଇଥିବା ବାଲିକୁ ଅରୁଣ କୁମାର ସାହା, ପିତା ଗୌରାଙ୍ଗ ସାହା, ଗ୍ରାମ ଏମ୍ ଭି ୩୮, ପୋଷ୍ଟ ତାରଲାକୋଟା, ଥାନା ଓରକେଲ ଗଚ୍ଛିତ କରି ରଖିଛନ୍ତି। ବାଲି ଯବତ ହେବା ସମୟରେ ରଞ୍ଜିତ କୁମାର ବେହେରା ( ଏ ଏମ୍ ଓ) ଉପସ୍ଥିତ ଥିଲେ ବୋଲି ସୂଚନା ମିଳିଛି। ଶେଷରେ ଶ୍ରୀଯୁକ୍ତ ମଲ୍ଲିକ କହିଛନ୍ତି ଯେ ଖଣି ବିଭାଗ ସହିତ ଜଡ଼ିତ କୌଣସି ଅନୈତିକ କାର୍ଯ୍ୟ କଳାପକୁ ସେ କେବେ ପ୍ରଶ୍ରୟ ଦେବେ ନାହିଁ। ଯେଉଁ ବ୍ୟକ୍ତି ଏହି ଭଳି ଅନୈତିକ କାର୍ଯ୍ୟ ସହିତ ଯୁକ୍ତ ରହିବେ ତାଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀଯୁକ୍ତ ମଲ୍ଲିକ ଦୃଢ଼ତାର ସହିତ କହିଛନ୍ତି।
