ବେକରେ ଭୁଜାଲି ଲଗାଇ ଲୁଟ କଲେ ଦୁବୁର୍ତ୍ତ
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର):: ସୋରରେ ବଢିବାରେ ଲାଗିଛି ଚୋରଙ୍କୁ ଦୋରାତ୍ମ। ମୁଖା ପିନ୍ଧି ଆସି ଗ୍ରୀଲ ତାଡିଲେ, ପିଲାଙ୍କ ବେକରେ ଭୁଜାଲି ଲଗାଇ ଲୁଟି ନେଲେ ସର୍ବସ୍ବ । ବାଲେଶ୍ବର ଜିଲ୍ଲା ଅନନ୍ତପୁର ଥାନା ଅନ୍ତର୍ଗତ ପାଖର ପଞ୍ଚାୟତ ଖେରଣା ଗ୍ରାମରେ ଗତ ବିଳମ୍ବିତ ରାତିରେ ସଶସ୍ତ୍ର ଲୁଟ୍ ହୋଇଛି। ଖେରଣା ଗ୍ରାମର ରଘୁନାଥ କେଶୀଙ୍କ ପୁଅ ବିଦେଶରେ ରହୁଥିବା ବେଳେ ରଘୁନାଥ ତାଙ୍କ ସ୍ତ୍ରୀ, ବୋହୂ ଦ୍ରୌପଦୀ କେଶୀ ଏବଂ ଦୁଇ ନାତିନାତୁଣୀଙ୍କ ସହ ଘରେ ରହୁଥିଲେ । ସୋମବାର ରାତି ପ୍ରାୟ ୧୧ଟାରେ ତିନିଜଣ ମୁଖାପିନ୍ଧା ଦୁର୍ବୃତ୍ତ ଘରର ଗ୍ରିଲ୍ କାଟି ଭିତରକୁ ପଶିଥିଲେ। ପରେ ଦୁଇ ଛୋଟ ପିଲାଙ୍କ ବେକରେ ଭୁଜାଲି ଲଗାଇ ପରିବାର ସଦସ୍ୟଙ୍କୁ ଧମକ ଦେଇଥିଲେ । ଭୟରେ ଦ୍ରୌପଦୀ ଆଲ୍ମାରିର ଚାବି ଦେଇଦେବାରୁ ଦୁର୍ବୃତ୍ତମାନେ ଗୋଟିଏ ମଙ୍ଗଳସୂତ୍ର, ତିନିଟି ସୁନା ଚେନ୍, ତିନି ହଳ ସୁନା କାନଫୁଲ, ଦୁଇଟି ସୁନା ମୁଦି, ଗୋଟିଏ ରୂପା ବ୍ରେସ୍ଲେଟ୍ ସହ ୧୦ ଲକ୍ଷରୁ ଅଧିକ ଟଙ୍କାର ଗହଣା ଏବଂ ନଗଦ ୩୦ ହଜାର ଟଙ୍କା ନେଇଯାଇଥିଲେ । ଘଟଣା ସମ୍ପର୍କରେ ଦ୍ରୌପଦୀ ଅନନ୍ତପୁର ଥାନାରେ ଏତଲା ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
