ବାଲି ମାଫିଆଙ୍କ ଉପରେ ପ୍ରଶାସନର ଦୃଢ କାର୍ଯ୍ୟାନୁଷ୍ଠାନ
___________________
ସାରସକଣା,(୨୩/୭/୨୬):(ନି.ପ୍ର);
ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅନ୍ତର୍ଗତ ସାରସକଣା ତହସିଲ ଅଧୀନ ଜାମଶୋଳା, ପାଣ୍ଡରା , ଶୀର୍ଷା, ରୁଗୁଡ଼ିସାହି, ବଙ୍ଗଳା ଓ ବୀରସିଙ୍ଗା ଅଞ୍ଚଳରେ ବାଲି ମାଫିଆ ମାନେ ବିଭିନ୍ନ ସରକାରୀ ଓ ବେସରକାରୀ ଜମିରେ ଶହ ଶହ ଟିପ୍ ବେଆଇନ ବାଲି ମହଜୁଦ କରି ରଖିଥିବାର ସୂଚନା ପାଇ ପ୍ରଶାସନ ପକ୍ଷରୁ ବଡ଼ ଧରଣର ଚଢାଉ କରାଯାଇଛି । ସୂଚନା ଅନୁସାରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକ୍ରମେ ରାଜସ୍ୱ , ଖଣି ବିଭାଗ , ସ୍ଥାନୀୟ ପ୍ରଶାସନ ଓ ଝାରପୋଖରିଆ ପୋଲିସ ର ମିଳିତ ସହଯୋଗରେ ଜାମଶୋଳା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢାଉ କରିବା ସହିତ ସରକାରୀ ଏବଂ ବେସରକାରୀ ଜମିରେ ବେଆଇନ ଭାବରେ ଶହ ଶହ ଟ୍ରିପ୍ ବାଲି ଗଦା ହୋଇ ବିପୁଳ ପରିମାଣକୁ ଜବତ କରିଛି । ବର୍ଷାଦିନ ପାଇଁ ବର୍ତ୍ତମାନ ସରକାରୀ ବାଲି ଖାଦାନ ଗୁଡ଼ିକରୁ ସରକାରୀ ନିୟମ ଅନୁସାରେ ବାଲି ଉତ୍ତୋଳନ ବନ୍ଦ ରହିଛିା ଏହାର ସୁଯୋଗ ନେଇ ବାଲି ମାଫିଆ ମାନେ ବର୍ଷା ଋତୁରେ ବାଲିକୁ ଚଢା ଦରରେ ବିକ୍ରି କରିବା ଉଦ୍ଦେଶ୍ୟରେ ଶହ ଶହ ଟିପ୍ ବାଲି ଗଦା କରି ରଖିଥିଲେ । ଏହି ଖବର ପାଇ ଖଣି ବିଭାଗ ତରଫରୁ ମଙ୍ଗଳବାର ଦିନ ଜାମଶୋଳା ଠାରେ ଚଢାଉ କରି ବେଆଇନ ଭାବେ ଗଛିତ ଥିବା ଶହ ଶହ ଟ୍ରିପ ବାଲିକୁ ଜବତ କରିବା ସହିତ ବୁଧବାର ଦିନ ସାରସକଣା ତହସିଲ ଅଧୀନ ପାଣ୍ଡରା , ଶୀର୍ଷା, ରୁଗୁଡ଼ିସାହି, ବଙ୍ଗଳା ଓ ବୀରସିଙ୍ଗା ଅଞ୍ଚଳରେ ମଧ୍ୟ ବେଆଇନ ଭାବେ ଗଚ୍ଛିତ କରି ରଖିଥିବା ବାଲିକୁ ଜବତ କରିଛି । ଏହି ଚଢାଉ ସମୟରେ ଖଣି ବିଭାଗର ଅଧିକାରୀ ଭବାନୀ ଶଙ୍କର ପାତ୍ର ଏବଂ ଶୀର୍ଷା ଆର୍.ଆଇ(ରାଜସ୍ୱ ନିରୀକ୍ଷକ) ଦେବାଶିଷ ବେହେରା ସହିତ ଝାରପୋଖରିଆ ପୋଲିସ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ବାଲି ଜବତ ପ୍ରକ୍ରିୟାର ନେତୃତ୍ୱ ନେଇଥିଲେ । ଜବତ ହୋଇଥିବା ଶହ ଶହ ଟ୍ରିପ ବାଲିକୁ ଜିଲ୍ଲା ପ୍ରଶାସନ ବିଭିନ୍ନ ସରକାରୀ ଉନ୍ନୟନ ମୂଳକ କାର୍ଯ୍ୟରେ ବ୍ୟବହାର କରାଯିବ ଅଥବା ଏହାର ସରକାରୀ ପ୍ରକିୟାରେ ନିଲାମ କରାଯିବ, ଏହା ଦ୍ବାରା ସରକାରୀ ରାଜସ୍ୱ ବୃଦ୍ଧି ପାଇବ ବୋଲି ସମ୍ପୃକ୍ତ ଅଧିକାରୀଙ୍କ ସୁତ୍ରରୁ ପ୍ରକାଶ ପାଇଛି । ପ୍ରଶାସନର ଏଭଳି କଡ଼ା କାର୍ଯ୍ୟାନୁଷ୍ଠାନ ଯୋଗୁଁ ବେଆଇନ ବାଲି ମାଫିଆ ଙ୍କ ମଧ୍ୟରେ ଛନକା ପଶି ଗଲାଣି । ପ୍ରଶାସନର ଏଭଳି ଦୃଢ କାର୍ଯ୍ୟାନୁଷ୍ଠାନକୁ ସ୍ଥାନୀୟ ଅଞ୍ଚଳବାସୀ ସ୍ୱାଗତ ଜଣାଇଛନ୍ତି । ଅନିଲ କୁମାର ସାହୁ ସାରସକଣା ବ୍ଲକ ପ୍ରତିନିଧି ଭଞ୍ଜଦୂତ ଖବର।
