
ସୋର (ଜ୍ୟୋତି ପ୍ରକାଶ ଦୀକ୍ଷିତ): ସୋରରେ ଦିନକୁ ଦିନ ଚୋର ମାନଙ୍କର ପ୍ରଦୁର୍ଭାବ ବଢ଼ିବାରେ ଲାଗିଛି। ପୁଲିସକୁ ଖାତିର ନକରି ଚୋର ମାନେ ପ୍ରତିଦିନ ଚୋରୀ କରୁଥିବା ଦେଖିବାକୁ ମିଳୁଛି। ଗତକାଲି ଗୋଟିଏ ଗାଁର ୫ ଟି ମନ୍ଦିରରୁ ଚୋରି ହୋଇଥିବା ବେଳେ ଆଜି ମଧ୍ୟ ଗୋଟିଏ ଗାଁର ଦୁଇଟି ମନ୍ଦିରରୁ ୧୩ ଲକ୍ଷରୁ ଅଧିକ ଟଙ୍କାର ଅଳଙ୍କାର ଚୋରୀ ହୋଇଥିବା ଜଣାପଡିଛି। ସୁଚନା ଅନୁସାରେ ବାହାନଗା ବ୍ଳକ ଅଭଣା ପଞ୍ଚାୟତ ଅଭଣା ଗ୍ରାମ ରେ ଥିବା ଲକ୍ଷ୍ମୀନାରାୟଣ ମନ୍ଦିର ଓ ବ୍ରହ୍ମାଣୀ ମନ୍ଦିର ରୁ ଚୋରି ହୋଇଛି। ଆଜି ସକାଳେ ପୁଜକ ପୁଜା ପାଇଁ ଯାଇଥିବା ବେଳେ ଗେଟ୍ ତାଲା ଭଙ୍ଗା ସହ ଠାକୁରଙ୍କ ଗହଣା ସମେତ ଦାନ ବାକ୍ସ ଚୋରୀ ହୋଇଥିବା ଜାଣିବାକୁ ପାଇ ସ୍ଥାନୀୟ ଲୋକଙ୍କୁ ଜଣାଇଥିଲେ। ଚୋରମାନେ ଲକ୍ଷ୍ମୀନାରାୟର ମନ୍ଦିରରୁ ରୁପା ମୁକୁଟ,ସୁନା ବାହୁଟି,ସୁନାର ଚନ୍ଦ୍ରାହାର,ଅଣ୍ଟାବିଛା,୧୫ଟି ସୁନା ଚିତା ସମେତ ବ୍ରାହ୍ମଣୀ ମନ୍ଦିରରୁ ଅଷ୍ଟଧାତୁ ମୁକୁଟ,୧୦ ଟି ରୁପା ମୁକୁଟ, ୧୦ଟି ସୁନା ଚିତା ଚୋରୀ କରିଥିଲେ। ଯାହାର ଆନୁମାନିକ ମୁଲ୍ୟ ୧୩ ଲକ୍ଷରୁ ଅଧିକ ହେବ। ଏନେଇ ଲୋକେ ସୋର ପୁଲିସକୁ ଜଣାଇବା ପରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି। ପୁଲିସ ପେଟ୍ରୋଲିଂ କରିବା କୁ ସାଧାରଣ ରେ ଦାବି ହେଉଛି।