*ସ୍କୁଲ ହଷ୍ଟେଲରେ ରୋଷେଇ ସାରିବା ପରେ ରୋଷେୟାଙ୍କ ମୃତ୍ୟୁ*
*ଶବ ବ୍ୟବଚ୍ଛେଦ ନିୟମ ପାଇଁ ରାତିସାରା ମେଡିକାଲରେ ଜଗି ରହିଲେ ପରିବାର ଲୋକେ*
ମୟୁରଭଞ୍ଜ,ବିଶୋଇ -:ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ ତଳାପାତି ସରକାରୀ ସ୍କୁଲ ହଷ୍ଟେଲରେ ଏକ ଦୁଃଖଦାୟକ ଘଟଣା ସାମ୍ନାକୁ ଆସିଛି। ଆଶ୍ରମ ସ୍କୁଲର ପିଲାମାନଙ୍କ ପାଇଁ ରବିବାର ଦ୍ଵିପ୍ରହର ରୋଷେଇ ସାରି ଖାଇବାକୁ ଦେବା ପରେ ଜଣେ ରୋଷେୟାଙ୍କର ଆକସ୍ମିକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ବିଶୋଇ ଥାନା ଅଧୀନ ବଡ଼ ଜାମବିଲା ଗ୍ରାମର ହରିହର ନାଏକ (୫୪)।
ମିଳିଥିବା ସୂଚନା ଅନୁଯାୟୀ, ଗତ ପ୍ରାୟ ଏକ ମାସ ହେବ ହରିହର ଏବଂ ତାଙ୍କ ପୁଅ ମିଶି ତଳାପାତି ସରକାରୀ ସ୍କୁଲ ହଷ୍ଟେଲରେ ଆଶ୍ରମ ପିଲାଙ୍କ ପାଇଁ ରୋଷେଇ କାମ କରୁଥିଲେ। ଆଜି ମଧ୍ୟ ଦ୍ଵିପ୍ରହର ସମୟରେ ବାପ-ପୁଅ ମିଶି ହଷ୍ଟେଲ ପିଲାମାନଙ୍କ ପାଇଁ ରୋଷେଇ କରିବା ସହ ସେମାନଙ୍କୁ ଖାଇବାକୁ ଦେଇଥିଲେ। ତେବେ କାମ ସରିବା ପରେ ହଠାତ୍ ହରିହର ପ୍ରବଳ ଝାଳନାଳ ହୋଇ ବେହୋସ୍ ହୋଇପଡ଼ିଥିଲେ।
ସ୍କୁଲର ଶିକ୍ଷକ ଏବଂ ହରିହରଙ୍କ ପୁଅ ତୁରନ୍ତ ତାଙ୍କୁ ଉଦ୍ଧାର କରି ମଣଦା ମେଡ଼ିକାଲକୁ ନେଇଯାଇଥିଲେ, କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ‘ମୃତ’ ଘୋଷଣା କରିଥିଲେ।
ଖବର ପାଇ ବିଶୋଇ ଥାନା ପୋଲିସ ମଣଦା ମେଡିକାଲରେ ପହଞ୍ଚି ମୃତଦେହ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା (କେସ୍ ନମ୍ବର ୨୦/୨୬) ରୁଜୁ କରିଛି। ପରେ ଶବ ବ୍ୟବଚ୍ଛେଦ ପାଇଁ ମୃତଦେହକୁ ରାଇରଙ୍ଗପୁର ଡାକ୍ତରଖାନାକୁ ପଠାଯାଇଥିଲା।
ତେବେ ରାଇରଙ୍ଗପୁର ମେଡ଼ିକାଲ ନିୟମ ଅନୁଯାୟୀ ଅପରାହ୍ନ ୪ଟା ପରେ ଶବ ବ୍ୟବଚ୍ଛେଦ ହୋଇପାରିବ ନାହିଁ ବୋଲି କୁହାଯିବାରୁ, ରବିବାର ବ୍ୟବଚ୍ଛେଦ ହୋଇପାରି ନାହିଁ। ଯାହା ଫଳରେ ମୃତକଙ୍କ ଶୋକାକୁଳ ପରିବାର ଲୋକେ ବାଧ୍ୟ ହୋଇ ରାତିସାରା ମେଡ଼ିକାଲ ପରିସରରେ ମୃତଦେହକୁ ଜଗି ରହିଥିଲେ। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ମୟୁରଭଞ୍ଜ ରୁ ମୋନାଲି ସାହୁଙ୍କ ସହ ସୁନୀଲ ମହାପାତ୍ର ଙ୍କ ରିପୋର୍ଟ ଭଂଜଦୂତ ଖବର
