ଉମରକୋଟ ଥାନାର ନୂତନ ଆଇଆଇସି ଭାବେ ଯୁଗଳ ଶବରଙ୍କ ଦାୟିତ୍ୱ ଗ୍ରହଣ
ଉମରକୋଟ, ୧୧/୦୭ (ଆପ୍ର): ଉମରକୋଟ ଥାନାର ନୂତନ ଥାନାଧିକାରୀ (ଆଇଆଇସି) ଭାବେ ଯୁଗଳ ଶବର ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ ମୈଦଲପୁର ଥାନାରେ କାର୍ଯ୍ୟରତ ଥିଲେ। ଉମରକୋଟ ଥାନାରେ କାର୍ଯ୍ୟରତ ଥିବା ଆଇଆଇସି ବିପିନ କୁମାର ବାଘଙ୍କୁ ନବରଙ୍ଗପୁର ସାଇବର ଥାନାକୁ ବଦଳି କରାଯାଇଥିବା ବେଳେ ତାଙ୍କ ସ୍ଥାନରେ ଶ୍ରୀ ଶବରଙ୍କ ନିଯୁକ୍ତି ହୋଇଛି।
ଦାୟିତ୍ୱ ଗ୍ରହଣ ପରେ ଶ୍ରୀ ଶବର କହିଛନ୍ତି ଯେ, ଉମରକୋଟ ସହରରେ ଆଇନଶୃଙ୍ଖଳା ବଜାୟ ରଖିବା ସହ ଟ୍ରାଫିକ ବ୍ୟବସ୍ଥାର ସୁଧାର, ଚୋରି ଓ ଡକାୟତି ଭଳି ଅପରାଧ ନିୟନ୍ତ୍ରଣ ତାଙ୍କର ପ୍ରାଥମିକତା ରହିବ। ଜନସାଧାରଣଙ୍କ ଅଭିଯୋଗର ତ୍ୱରିତ ସମାଧାନ, ରାତ୍ରିକାଳୀନ ପାଟ୍ରୋଲିଂକୁ ଅଧିକ ସକ୍ରିୟ କରିବା ଏବଂ ସହରରେ ଶାନ୍ତି ଓ ସୁରକ୍ଷା ବଜାୟ ରଖିବା ଦିଗରେ ଗୁରୁତ୍ୱ ଦିଆଯିବ।
ସେ ଆହୁରି କହିଛନ୍ତି ଯେ, ମଦ୍ୟପ ଅବସ୍ଥାରେ ଗାଡ଼ି ଚାଳନା କରୁଥିବା ବ୍ୟକ୍ତି ଓ ଅମାନିଆ ବାଇକ୍ ଚାଳକଙ୍କ ବିରୋଧରେ କଡ଼ା ପଦକ୍ଷେପ ନିଆଯିବ। ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ କରି ଏକ ସୁରକ୍ଷିତ ଏବଂ ଅପରାଧମୁକ୍ତ ଉମରକୋଟ ଗଠନ ପାଇଁ ସେ ପ୍ରୟାସ ଜାରି ରଖିବେ ବୋଲି ପ୍ରକାଶ କରିଛନ୍ତି।
