ହିନ୍ଦୋଳ ଅଞ୍ଚଳରେ ଚୋରା ମଦ କାରବାର ବଢୁଛି
(ନିପ୍ର ଗୋକୁଳାନନ୍ଦ ବେହେରା)ଢେ଼ଙ୍କାନାଳ ହିନ୍ଦୋଳ ଉପଖଣ୍ଡ ଅଞ୍ଚଳରେ ଚୋରା ମଦ କାରବାର ବଢ଼ି ବାରେ ଲାଗିଛି। ଦେଶୀମଦ ତଥା ମହୁଲିଠାରୁ ଆରମ୍ଭକରି ନକଲି ବିଦେଶୀ ମଦ ଗାଁ ଗାଁରେ ବିକ୍ରି ହେଉଛି। ପାନଦୋକନଠାରୁ ଆରମ୍ଭ କରି ହୋଟେଲ,ଢାବା,ତେଜରାତି ଦୋକାନ ପ୍ରାୟ ସବୁ ସ୍ଥାନରେ ଖୁଲମଖୁଲା ମଦ ବିକ୍ରି ହେଉଛି। ପୋଲିସ୍ ଓ ଅବକାରୀ କର୍ମଚାରୀଙ୍କୁ ହାତ କରି ମଦ ମାଫିଆ ସେମାନଙ୍କ କାରବାରକୁ ସୁରୁଖୁରୁରେ ଚଳାଇଛନ୍ତି। ପ୍ରତିଦିନ ଗାଡ଼ି ଯୋଗେ ବେପାରୀ ଗାଁ ଗୁଡ଼ିକର ଛୋଟ ଛୋଟ ଦୋକାନୀଙ୍କୁ ମଦ ପହଞ୍ଚାଇ ଦେଉଥିବା ଦେଖିବାକୁ ମିଳୁଛି। ଅନ୍ୟପଟେ ଗାଁ ଗଣ୍ଡାରେ ହାତପାଆନ୍ତାରେ ମଦ ମିଳି ଯାଉଥିବାରୁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଥିବା ଦେଖିବାକୁ ମିଳୁଛି। ସାମନ୍ୟ କଥାରୁ କଳିଝଗଡ଼ା,ମାରପିଟ୍ ଆଦି ସହ ଚୋରି,ଛିନ୍ ତାଇ ଆଦି ଅପରାଧିକ ଘଟଣା ଘଟୁଛି। ବ୍ରାଉନସୁଗାର,ଗଞ୍ଜେଇ ନିଶା କାରବାର ମଧ୍ୟ ବଢ଼ିବାରେ ଲାଗିଛି। ବିଶେଷ କରି ଯୁବଗୋଷ୍ଠୀ ଏହି ନିଶା ଜାଲରେ ପଡ଼ି ବିଭିନ୍ନ ଅପରାଧୂକ କାର୍ଯ୍ୟ କରୁଛନ୍ତି। ବିଷାକ୍ତ ତଥା ଅପମିଶ୍ରିତ ମଦପିଇ ଲୋକଙ୍କ ଜୀବନ ମଧ୍ୟ ଯାଉଥିବା ଅଭିଯୋଗ ହେଉଛି। କିଛି ମାସ ପୂର୍ବେ ବେଡ଼ାପଡ଼ା ଅଞ୍ଚଳରେ ବିଷାକ୍ତ ମଦ ପିଇ ୩ ଜଣ ଜୀବନ ଯାଇଥିବା ଅଭିଯୋଗ ହୋଇଥିଲା। ମାତ୍ର ପ୍ରଶାସନ ଏହାକୁ ମଦମୃତ୍ୟୁ ବୋଲି ମାନିନଥିଲା। ବାଉଁଶପୋଖରୀ ସ୍ଥିତ ଏକ ଫାର୍ମହାଉସ୍ରେ ନକଲି ବିଦେଶୀ ମଦ କାରଖାନା ଚାଲିଥିବା ବେଳେ ରାଜ୍ୟ ଫ୍ଲାଇଂସ୍ଟ୍ରାଡ୍ ଚଢ଼ଉ କରି ସେସବୁ ସାମଗ୍ରୀ ଜବତ କରିବା ସହ ଏକାଧିକ ଲୋକଙ୍କୁ ଗିରଫ କରିଥିଲା। ଦୀର୍ଘ ଦିନ ଧରି ନକଲି ମଦ କାରଖାନା ଚାଲିଥିବା ବେଳେ ହିନ୍ଦୋଳ ଅବକାରୀ ବିଭାଗ ଟେର୍ ପାଇପାରିନଥିଲା ନାଁ ଜାଣିଶୁଣି ଚୁପ୍ ବସିଲା ପ୍ରଶ୍ନ ଉଠିଛି। ଅବକାରୀ ବିଭାଗର ନିଷ୍କ୍ରିୟତାର ସୁଯୋଗ ନେଇ ବେଆଇନ୍ ନିଶା କାରବାର ବଢ଼ି ଚାଲିଥିବା ଅଭିଯୋଗ ହେଉଛି। ହିନ୍ଦୋଳ ଅବକାରୀ ବିଭାଗ ପକ୍ଷରୁ କଡ଼ାକଡ଼ି ଯାଞ୍ଚ,ଗୁଇନ୍ଦା ତଥ୍ୟ ସଂଗ୍ରହ,ଧରପଗଡ଼ ଆଦି କରାଯାଉନଥିବାରୁ ମଦ ମାଫିଆ ସକ୍ରିୟ ହୋଇ ସେମାନଙ୍କ କାୟା ବିସ୍ତାର କରିବାରେ ଲାଗିଛନ୍ତି। ଜିଲ୍ଲା ଅବକାରୀ ଅଧୀକ୍ଷକ ଏ ଦିଗରେ ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଦାବି ହୋଇଛି।
