ଢେଙ୍କାନାଳ ସହର ଉପକଣ୍ଠରେ ହାତୀପଲ ଭାଙ୍ଗିଲେ ପାଚେରି, ଫାଟକ
(ନିପ୍ର ଗୋକୁଳାନନ୍ଦ ବେହେରା)ଢେଙ୍କାନାଳ ସଦର : ଢେଙ୍କାନାଳ ସହର ଆଖପାଖ ଅଞ୍ଚଳରେ ଦିନକୁ ଦିନ ହାତୀ ଉପଦ୍ରବ ବଢ଼ି ଚାଲିଛି। ଏବେ ହାତୀ ସହର ଉପକଣ୍ଠକୁ ଚାଲି ଆସିଲେଣି। ଢେଙ୍କାନାଳ ସହରର କାଠଗଡ଼ା,ଆନନ୍ଦନଗର,ଜୁଆଙ୍ଗସାହି ଅଞ୍ଚଳରେ ଗତ ୪ ଦିନ ହେଲା ଏକ ୩ଟିକିଆ ହାତୀପଲ ଓ ଗୋଟିଏ ଛୁଆ ଥିବା ଦେଖାଯାଇଛି। ରାତିରେ ହାତୀପଲ ଚାରଖୋଲା ଜଙ୍ଗଲରେ ରହିବା ସହ ସନ୍ଧ୍ୟାହେଲେ ଜନବସତି ମୁହାଁ ହେଉଛନ୍ତି ମଙ୍ଗଳବାର କାଠଗଡ଼ାର ଅଞ୍ଚଳର ଆଇନଜୀବୀ ସୁରେନ୍ଦ୍ର ମିଶ୍ରଙ୍କ ପାଚେରି ଓ ଲୁହା ଫାଟକଙ୍କୁ ହାତୀ ଭାଙ୍ଗିଛନ୍ତି। ନିକଟରେ ଥିବା ବଗିଚାରେ ପଶି ଆମ୍ବ,ନଡ଼ିଆ ଓ କଦଳୀ ଗଛ ଆଦି ନଷ୍ଟ କରିଛନ୍ତି। ହାତୀ ଉପଦ୍ରବକୁ ନେଇ ସନ୍ଧ୍ୟାହେଲେ ଲୋକେ ଘରୁ ବାହାରିବାକୁ ଭୟ କରୁଛନ୍ତି। ବନ କର୍ମଚାରୀ ପହଞ୍ଚି ସକାଳେ ଓ ସନ୍ଧ୍ୟାପରେ ସତର୍କ ରହିବାକୁ ଲୋକଙ୍କୁ ସଚେତନ କରିବା ସହ ହାତୀଙ୍କୁ ଘୋଉଡ଼ାଇବାକୁ ବାଣଇ ଫୁଟାଉଥିଲେ ବି ହାତୀ ଅଞ୍ଚଳ ଛାଡ଼ି ଯାଉନଥିବା ଜଣାଯାଇଛି।
