ରାସ୍ତା ମରାମତି ଦାବିରେ ଆନ୍ଦୋଳନ
(ନିପ୍ର ଗୋକୁଳାନନ୍ଦ ବେହେରା)ଢେ଼ଙ୍କାନାଳ ଓଡ଼ାପଡ଼ା ବ୍ଳକ୍ କଣ୍ଟାବଣିଆ ଥାନା କଣ୍ଟାବଣିଆ ଛକରୁ ମଙ୍ଗଳପୁର ରାସ୍ତା ମରାମତି ଦାବିରେ ଆଜି କଣ୍ଟାବଣିଆ ଗ୍ରାମବାସୀ ରାସ୍ତାରୋକ ଆନ୍ଦୋଳନ କରିଥିଲେ। ଉକ୍ତ ରାସ୍ତା ଉପରେ ଆଖପାଖ ୮ଟି ଗ୍ରାମର ଲୋକେ ନିର୍ଭର କରୁଥିବା ବେଳେ ଖାଲଖମା ଯୋଗୁଁ ହନ୍ତସନ୍ତ ହେଉଛନ୍ତି। ବର୍ଷାରେ ଖାଲଖମାରେ ପାଣି ଜମି ସମସ୍ୟାକୁ ଦୁଇଗୁଣିତ କରିଛି। ଉକ୍ତ ରାସ୍ତାରେ ଭାରିଯାନ ଚଳାଚଳ ଯୋଗୁଁ ଖାଲଖମା ହୋଇଥିବା ବେଳେ ମରାମତି ଦିଗରେ କୌଣସି ପଦକ୍ଷେପ ନିଆଯାଉନି। ଏହାକୁ ନେଇ ଆଜି ଅନିଲ୍ ମହାଖୁଡ଼,ରାଜେଶ ମହାଖୁଡ଼,ବିରେନ ସାହୁ,ଜିତେନ୍ଦ୍ର ଝାଙ୍କର,ତ୍ରିଲୋଚନ ଭୋଇ,ସୁମନ ବେହେରା,ସିଦ୍ଧାନ୍ତ ସାହୁ,ଶ୍ରୀମୁଖ ସାହୁ, ନାରାୟଣ ମହାଖୁଡ଼ଙ୍କ ସମେତ ଗ୍ରାମବାସୀ ବାଉଁଶ ବାନ୍ଧି ରାସ୍ତା ଅବରୋଧ କରିଥିଲେ। ଯାହାଫଳରେ ଗାଡ଼ିମଟର ଚଳାଚଳ ଠପ୍ ହୋଇଯାଇଥିଲା। ପୋଲିସ୍ ଅଧିକାରୀ ଓ ସ୍ଥାନୀୟ ଶିଳ୍ପସଂସ୍ଥାର ପ୍ରତିନିଧି ପହଞ୍ଚି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଥିଲେ। ରାସ୍ତା ମରାମତୀ ନିମନ୍ତେ ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।
