ସ୍ଵଂୟ ସହାୟକ ଗୋଷ୍ଠୀ କାର୍ଯ୍ୟାଳୟ ଗୃହ ନିର୍ମାଣ ନିମନ୍ତେ ପଞ୍ଚାୟତର ଦୁଇ ଗୋଷ୍ଠୀ ମୁହାଁମୁହିଁ , ବ୍ଲକ ପ୍ରଶାସନ ମୁଣ୍ଡରେ ନଡ଼ିଆ ଝୁଲିଛି।
ରଘୁନାଥପୁର(ନି.ପ୍ର): ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ ଗୁଆଳିପୁର ଗ୍ରାମ ପଞ୍ଚାୟତର ସମସ୍ତ ସ୍ଵୟଂ ସହାୟକ ଗୋଷ୍ଠୀ ମହିଳା ମାନଙ୍କ ନିମନ୍ତେ ଗ୍ରାମ ପଞ୍ଚାୟତ ସ୍ତରୀୟ ସଂଘ କାର୍ଯ୍ୟାଳୟ ଓ ଦୋକାନ ଗୃହ ନିର୍ମାଣ ନିମନ୍ତେ ୨୩ ଲକ୍ଷ ଟଙ୍କାର ଅନୁଦାନ ରାଶି ଆସିଥିଲା। ଏହି କାର୍ଯ୍ୟାଳୟ ଟି ପଞ୍ଚାୟତ କାର୍ଯ୍ୟାଳୟ ସନ୍ନିକଟ ସରକାରୀ ସ୍ଥାନ ବା ସଦର ମହକୁମା ରେ ହେବାର ନିୟମ ଥିବା ବେଳେ କିଛି ମହିଳା ଗୋଷ୍ଠୀ ସରକାରୀ ନିୟମ କୁ ବିରୋଧ କରି ପଞ୍ଚାୟତ କାର୍ଯ୍ୟାଳୟ ଅନତି ଦୁରରେ କରିବାକୁ ଦାବି ଜଣାଇବାରୁ କାମ ସମ୍ପୂର୍ଣ୍ଣ ଠପ ହୋଇଯାଇଛି। କିଛି ମହିଳା ଗୋଷ୍ଠୀ ଯେଉଁ ଅଯୌକ୍ତିକ ଯୁକ୍ତି ଦର୍ଶାଇ ରାଧାନଗର ଗ୍ରାମ ରାସ୍ତା ପାର୍ଶ୍ବରେ କରିବାକୁ ଦାବି ଜଣାଇଛନ୍ତି ତାହା କରିବା ସମ୍ଭବପର ନୁହେଁ କାରଣ ଏହି ଜମି ଖାତା ନମ୍ବର ୩୭୬, ପ୍ଲଟ ନମ୍ବର ୧୯୮୦ ଓ ଖାତା ନମ୍ବର ୩୭୭, ପ୍ଲଟ ନମ୍ବର ୧୯୫୧ ଜମି ଗୁଡ଼ିକ ସଂରକ୍ଷିତ ରଖାଯାଇଛି ଗ୍ରାମ୍ୟ ଜଙ୍ଗଲ ଏବଂ ଶ୍ମସାନ ନିମନ୍ତେ । ଏହି ଜମି ଉପରେ ବର୍ତ୍ତମାନ ସୁଦ୍ଧା ଦୁଇଗୋଟି ଶ୍ମସାନ ଗୃହ ଥିବା ବେଳେ ବହୁ ଆାଦିବାସୀ ଏଠାରେ ବସବାସ କରୁଛନ୍ତି। ଏପରିକି ଏହି ରାଧାନଗର ଗ୍ରାମରେ ଦୀର୍ଘ ପାଞ୍ଚ ବର୍ଷ ତଳୁ ସ୍ଵଂୟ ସହାୟକ ଗୋଷ୍ଠୀ ମହିଳା ମାନଙ୍କ ନିମନ୍ତେ ମିସନ ଶକ୍ତି ଗୃହ ନିର୍ମାଣ କରାଯାଇଥିଲା, ହେଲେ ଏହି ଗୃହ ଟି ରେ ବର୍ତ୍ତମାନ ଜନ୍ତୁ ଜୁନ୍ତା ରହିବା ସହିତ ଘାସ ସବୁ ମାଡି ଅଳିଆ ଆବର୍ଜନାରେ ପରିଣତ ହୋଇଗଲାଣି। ଏପରିକି ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ ପଞ୍ଚାୟତ କାର୍ଯ୍ୟାଳୟ ସନ୍ନିକଟ ଗୋଚର ଜମିରେ କରିବାକୁ ସହମତି ପ୍ରକାଶ କରିଛନ୍ତି। ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଷ୍ଟେସନ ବଜାର ବା ଯାତ୍ରୀ ଆଶ୍ରୟ ସ୍ଥଳ ରେ ପ୍ରତିଦିନ ବହୁ ଯାତ୍ରୀ ଟ୍ରେନ ଯୋଗେ ବିଭିନ୍ନ ସ୍ଥାନକୁ ଯାତାୟତ କରିଥାନ୍ତି। ଏ ଜାଗାରେ ମହିଳା ମାନଙ୍କ ସଂଘ ଗୃହ ବା ସେମାନଙ୍କ ଦୋକାନ ଗୃହ ନିର୍ମାଣ ହୋଇଗଲେ ସେମାନଙ୍କ ଦ୍ଵାରା ନିର୍ମିତ ବିଭିନ୍ନ ସମାଗ୍ରୀ ସବୁକୁ ବିକ୍ରୟ କରିବା ସମ୍ଭବପର ହୁଅନ୍ତା ବୋଲି ବୁଦ୍ଧିଜିବୀ ମହଲ ପକ୍ଷରୁ ଦାବି ହୋଇଛି। ଏ ଦିଗରେ ସରକାରୀ ଅଧିକାରୀ ମାନେ ଅବହେଳା ପ୍ରଦର୍ଶନ କଲେ ଗୁଆଳିପୁର ଗ୍ରାମବାସୀ ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବେ ବୋଲି ଜ୍ଞାନ ରଞ୍ଜନ ପଟ୍ଟନାୟକ, ସର୍ବେଶ୍ଵର ପଟ୍ଟନାୟକ, ରବୀନ୍ଦ୍ରନାଥ ସ୍ୱାଇଁ, ତପନ ମହାରଣା, ଅଶୋକ ପଟ୍ଟନାୟକ, ସଞ୍ଜୟ କୁମାର ସ୍ଵାଇଁ, ମାନସ ପଟ୍ଟନାୟକ, ଅସିତ କୁମାର ମହାରଣା , ଅଦ୍ଵୈତ ପ୍ରସାଦ ସ୍ଵାଇଁ, ଅବିନାଶ ପଟ୍ଟନାୟକ, ଅଜିତ କୁମାର ଦାସ , ଆନନ୍ଦ ପଟ୍ଟନାୟକ ଓ ଯଜ୍ଞେଶ୍ବର ପଟ୍ଟନାୟକ ପ୍ରମୁଖ ଚେତାବନୀ ଦେଇଛନ୍ତି
