ଖମାରେଡ଼ି ବିଦ୍ୟାଳୟରେ ୭୭ତମ ବନ ମହୋତ୍ସବ ପାଳିତ।
ଭଞ୍ଜନଗର : ୦୭/୦୭ (ପ୍ରଫୁଲ୍ଲ କୁମାର ମହାରଣା ) ପରିବେଶକୁ ସନ୍ତୁଳିତ କରିବା ପାଇଁ ବୃକ୍ଷ ରୋପଣ ନିହାତି ଜରୁରୀ ଥିବାରୁ ଭଞ୍ଜନଗର ନିକଟସ୍ଥ ସ୍ଥାନୀୟ ଖମାରେଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଲୋହରାଖଣ୍ଡି ସାହିତ୍ୟ ସଂସଦ ଓ ମହକ ସେବା ସମିତି ପକ୍ଷରୁ ୭୭ତମ ବନ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ‘ରହିଲେ ବନ, ବଞ୍ଚିବେ ଜନ’ ନାରା ଦେଇ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ମିଶି ବୃକ୍ଷରୋପଣ କାର୍ଯ୍ୟ କରାଯାଇଥିଲା। ପରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ମଦନ ମୋହନ ନାଇକଙ୍କ ସଭାପତିତ୍ୱରେ ଆୟୋଜିତ ସଚେତନତା ସଭାରେ ମୁଖ୍ୟ ଅତିଥିଭାବେ ଲୋହରାଖଣ୍ଡି ସାହିତ୍ୟ ସଂସଦର ସମ୍ପାଦକ ଚିନ୍ମୟ କୁମାର ବେବର୍ତ୍ତା, ବରିଷ୍ଠ ସାମ୍ବାଦିକ ତଥା ଶିକ୍ଷାବିତ୍ ପ୍ରଫୁଲ୍ଲ କୁମାର ମହାରଣା ଉପସ୍ଥିତ ରହି ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ନିଜ ଜନ୍ମ ଦିନରେ “ଗୋଟିଏ ଗଛ ଲଗାଅ, ପ୍ରକୃତିକୁ ବଞ୍ଚାଅ’ ବୋଲି ବାର୍ତ୍ତା ପ୍ରଦାନ କରିଥିଲେ। ପୂର୍ବରୁ ଆୟୋଜିତ ବକ୍ତୃତା ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କାର ପ୍ରଦାନ କରିଥିଲେ। ଏହା ସହିତ ଘୁମୁସରର ଜନଜାତି ମହାନାୟକ ବିପ୍ଳବୀ ବୀର ଚକରା ବିଷୋୟୀଙ୍କ ୨୦୩ତମ ଜୟନ୍ତୀ ଗତ ଶାମ୍ବ ଦଶମୀ ତିଥିରେ ସରକାର ତାଙ୍କ ଜନ୍ମସ୍ଥାନ ବିଞ୍ଜଗିରିରେ ପାଳନ କରିଛନ୍ତି। କିନ୍ତୁ ଆଜି ବି ଚକରା ବିଷୋୟୀ ଘୁମୁସରବାସୀଙ୍କ ନିକଟରେ ପହଞ୍ଚି ପାରିନାହାନ୍ତି। ତାଙ୍କ ଜୀବନ ବିଷୟରେ ଛାତ୍ରଛାତ୍ରୀମାନେ ଅବଗତ ହୋଇ ନାହାନ୍ତି। ତେଣୁ ଭଞ୍ଜନଗର ଅଞ୍ଚଳର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଏହି ବର୍ଷ ଆରମ୍ଭରୁ ବ୍ଲକର ସମସ୍ତ ବିଦ୍ୟାଳୟରେ ଫଟୋ ଚିତ୍ର ପ୍ରଦାନ କରିଆସୁଛି। ଏହି ପରିପ୍ରେକ୍ଷୀରେ ମହାନ ବିପ୍ଳବୀ ବୀର ଚକରା ବିଷୋୟୀଙ୍କ ଫଟୋ ଚିତ୍ର ବିଦ୍ୟାଳୟକୁ ପ୍ରଦାନ କରାଯାଇଥିଲା। ମହକ ସେବା ସମିତିର ସମ୍ପାଦକ ନବ କୁମାର ବିଷୋୟୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବାବେଳେ ଶିକ୍ଷକ ଗଣେଶ ନାଇକ ଧନ୍ୟବାଦ ପ୍ରଦାନ କରିଥିଲେ। ଶିକ୍ଷୟିତ୍ରୀ ସରିତା କୁମାରୀ ସାହୁ, ଦୀପିକା ଦିଗାଲ, ପୁଷ୍ପଲତା ପ୍ରଧାନ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
