CCTV ଅଚଳ, ଅପରାଧୀ ସକ୍ରିୟ!
୪-ୱେରେ ଟ୍ରକ୍ ଡ୍ରାଇଭରଙ୍କୁ ଛୁରିମାଡ଼, ମୋବାଇଲ ଓ ଟଙ୍କା ଲୁଟ୍ ଅଭିଯୋଗ
ସିନାପାଲି, ୨/୯ (ଭଞ୍ଜଦୂତ) ଧର୍ମେନ୍ଦ୍ର କୁମାର ଗହିର -ନୂଆପଡ଼ା ଜିଲ୍ଲା ସିନାପାଲି ସହରର ବିଜୁ ଏକ୍ସପ୍ରେସ୍ୱେ ଅଞ୍ଚଳରେ ଅପରାଧୀଙ୍କ ଦୌରାତ୍ମ୍ୟ ନେଇ ଚିନ୍ତା ବଢ଼ିଛି। ବାବା ମଠ ନିକଟସ୍ଥ ୪-ୱେ ବସ୍ଷ୍ଟପ୍ ସମ୍ମୁଖରେ ଜଣେ ଟ୍ରକ୍ ଡ୍ରାଇଭରଙ୍କୁ ଅଜଣା ଦୁର୍ବୃତ୍ତମାନେ ଆକ୍ରମଣ କରି ମୋବାଇଲ ଓ ନଗଦ ଟଙ୍କା ଲୁଟିନେଇଥିବା ଅଭିଯୋଗ ହୋଇଛି। ଏଥିସହ ଟ୍ରକ୍ର କାଚ ଭାଙ୍ଗିବା ସହ ବ୍ୟାଟେରୀ ଖୋଲି ନେଇଥିବା ମଧ୍ୟ ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ୧ଟା ସମୟରେ କଳାହାଣ୍ଡି ପଟୁ ଟ୍ରକ୍ରେ ସାମଗ୍ରୀ ଖାଲି କରି ଡ୍ରାଇଭର ଖଡ଼ିଆଳ ରୋଡ୍ ଅଭିମୁଖେ ଯାଉଥିଲେ। ରାତି ହୋଇଥିବାରୁ ସେ ସିନାପାଲି ୪-ୱେ ବାବା ମଠ ନିକଟରେ ଟ୍ରକ୍କୁ ରାସ୍ତା ପାର୍ଶ୍ୱରେ ରଖି ବିଶ୍ରାମ ନେଉଥିଲେ। ଏହି ସମୟରେ ଦୁଇଜଣ ଯୁବକ ବାଇକ୍ରେ ଆସି ଟ୍ରକ୍ର ବ୍ୟାଟେରୀ ଖୋଲିବାକୁ ଉଦ୍ୟମ କରିଥିବା ଡ୍ରାଇଭର ଅଭିଯୋଗ କରିଛନ୍ତି। ଘଟଣା ଜାଣିପାରି ଡ୍ରାଇଭର ସେମାନଙ୍କୁ ରୋକିବା ସହ ଟ୍ରକ୍ ନେଇ ସେଠାରୁ ଚାଲିଯିବାକୁ ଉଦ୍ୟମ କରିଥିଲେ। ତେବେ ବ୍ୟାଟେରୀ ଖୋଲି ଦିଆଯାଇଥିବାରୁ ଟ୍ରକ୍ ଷ୍ଟାର୍ଟ ହୋଇନଥିଲା। ଅଭିଯୋଗ ଅନୁସାରେ, ଏହାପରେ ଦୁର୍ବୃତ୍ତମାନେ ଡ୍ରାଇଭରଙ୍କୁ ଗାଡ଼ିରୁ ବାହାରିବାକୁ ଧମକ ଦେଇଥିଲେ। ସେ ଗେଟ୍ ନଖୋଲିବାରୁ ଆକ୍ରମଣକାରୀମାନେ ଟ୍ରକ୍ର କାଚ ଭାଙ୍ଗି ତାଙ୍କୁ ବାହାରକୁ ଟାଣି ଆଣିଥିଲେ। ପରେ ତାଙ୍କୁ ମାଡ଼ ମାରିବା ସହ ମୋବାଇଲ ଓ ନଗଦ ଟଙ୍କା ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି। ଶେଷରେ ଡ୍ରାଇଭରଙ୍କ ପିଠିରେ ଛୁରିରେ ଆଘାତ କରି ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିବା ସେ ପୁଲିସକୁ କହିଥିବା ଜଣାପଡ଼ିଛି।
ଜୀବନ ବଞ୍ଚାଇବା ପାଇଁ ଡ୍ରାଇଭର ଟ୍ରକ୍ ଛାଡ଼ି ନିକଟସ୍ଥ ଜମି ମଧ୍ୟଦେଇ କରଣବାହାଲି ଅଞ୍ଚଳ ଦିଗକୁ ଯାଇଥିଲେ। ଭୋର ପ୍ରାୟ ୫ଟା ସମୟରେ ସ୍ଥାନୀୟ ଲୋକେ ତାଙ୍କୁ ଦେଖି ଆମ୍ବୁଲାନ୍ସ ଯୋଗେ ସିନାପାଲି ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ତାଙ୍କର ଚିକିତ୍ସା କରାଯାଇଥିଲା।
ଖବର ପାଇ ସିନାପାଲି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ କରିବା ସହ ଡାକ୍ତରଖାନାରେ ଆହତ ଡ୍ରାଇଭରଙ୍କୁ ପଚରାଉଚରା କରିଥିବା ଜଣାପଡ଼ିଛି। ଅଭିଯୁକ୍ତମାନଙ୍କୁ ଚିହ୍ନଟ କରି ଧରିବା ପାଇଁ ପୁଲିସ ତଦନ୍ତ ଚଳାଇଛି। ପରେ ଟ୍ରକ୍ ମାଲିକ ଖଡ଼ିଆଳ ରୋଡ୍ ଅଞ୍ଚଳରୁ ଆସି ଗାଡ଼ି ସହ ଆହତ ଡ୍ରାଇଭରଙ୍କୁ ନେଇଯାଇଥିବା ସୂଚନା ମିଳିଛି।
ଅଚଳ CCTVକୁ ନେଇ ଉଠିଲା ବଡ଼ ପ୍ରଶ୍ନ
ଏହି ଘଟଣା ପରେ ୪-ୱେ ଅଞ୍ଚଳରେ ଲାଗିଥିବା CCTV କ୍ୟାମେରାର କାର୍ଯ୍ୟକ୍ଷମତାକୁ ନେଇ ବଡ଼ ପ୍ରଶ୍ନ ଉଠିଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ୪-ୱେ ଅଞ୍ଚଳରେ ଲାଗିଥିବା CCTV କ୍ୟାମେରାଗୁଡ଼ିକ ଦୀର୍ଘଦିନ ଧରି ଅଚଳ ରହିଛି। କ୍ୟାମେରା ଲାଗିବାର ପ୍ରାୟ ତିନି ମାସ ମଧ୍ୟରେ ଏହା ଅଚଳ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ମରାମତି ହୋଇନଥିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି।
CCTV କ୍ୟାମେରା ସଚଳ ଥିଲେ ଘଟଣା ସମୟରେ ବାଇକ୍ରେ ଆସିଥିବା ଯୁବକମାନଙ୍କ ଗତିବିଧି, ବାଇକ୍ର ନମ୍ବର ଏବଂ ଘଟଣା ପରେ ସେମାନେ କେଉଁ ଦିଗକୁ ଯାଇଥିଲେ, ତାହା ତଦନ୍ତରେ ପୁଲିସ ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ହୋଇପାରିଥାନ୍ତା। ତେଣୁ ସୁରକ୍ଷା ପାଇଁ ଲଗାଯାଇଥିବା CCTV ଅଚଳ ରହିବା ଘଟଣାରେ ସୁରକ୍ଷା ବ୍ୟବସ୍ଥା ନେଇ ସ୍ୱାଭାବିକ ଭାବେ ପ୍ରଶ୍ନ ଉଠୁଛି।
୧୦ ଦିନରେ ଦୁଇ ଘଟଣା, ବଢ଼ିଲା ଚିନ୍ତା
ବିଶେଷକରି ଗତ ୧୦ ଦିନ ମଧ୍ୟରେ ପ୍ରାୟ ୨୦୦ ମିଟର ଦୂରତା ମଧ୍ୟରେ ଏଭଳି ଦୁଇଟି ଘଟଣା ଘଟିଥିବା ଅଭିଯୋଗ ଆସିବା ପରେ ୪-ୱେ ଅଞ୍ଚଳର ସୁରକ୍ଷା ବ୍ୟବସ୍ଥା ନେଇ ସ୍ଥାନୀୟ ଲୋକଙ୍କ ଚିନ୍ତା ବଢ଼ିଛି।
ରାତି ସମୟରେ ଏହି ରାସ୍ତା ଦେଇ ଯାତାୟାତ କରୁଥିବା ଟ୍ରକ୍ ଚାଳକ ଓ ସାଧାରଣ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଅଚଳ CCTV କ୍ୟାମେରାକୁ ତୁରନ୍ତ ସଚଳ କରିବା ସହ ନିୟମିତ ରାତ୍ରି ପାଟ୍ରୋଲିଂ ବଢ଼ାଇବାକୁ ଦାବି ହୋଇଛି।
ଏହାସହ CCTVର ନିୟମିତ ରକ୍ଷଣାବେକ୍ଷଣ, ୪-ୱେ ଅଞ୍ଚଳରେ ପୁଲିସର ନିୟମିତ ଉପସ୍ଥିତି ଏବଂ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଗତିବିଧି ଉପରେ କଡ଼ା ନଜର ରଖିବା ଜରୁରୀ ହୋଇପଡ଼ିଛି। ଅଚଳ ସୁରକ୍ଷା ବ୍ୟବସ୍ଥାର ସୁଯୋଗ ନେଇ ଅପରାଧୀମାନେ ଯେପରି ଆହୁରି ସକ୍ରିୟ ନହୁଅନ୍ତି, ସେଥିପାଇଁ ତୁରନ୍ତ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
