*ନୂଆପଡ଼ା ଜିଲ୍ଲାପାଳଙ୍କ ଦ୍ୱାରା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରୋଗୀଙ୍କୁ ୨୦୦ ଇସ୍ପାତ ଜଳ ବୋତଲ ବଣ୍ଟନ*
ନୂଆପଡ଼ା(ମିଖାଏଲ ନନ୍ଦ) ,
ତା -୦୬/୦୭
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସମ୍ପୂର୍ଣ୍ଣ ସିଙ୍ଗଲ୍-ୟୁଜ୍ ପ୍ଲାଷ୍ଟିକ (ଏସ୍ୟୁପି) ମୁକ୍ତ କରିବା ଲକ୍ଷ୍ୟରେ ନୂଆପଡ଼ା ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ ମଧୁସୂଦନ ଦାଶ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀମାନଙ୍କୁ ୨୦୦ଟି ପୁନଃବ୍ୟବହାରଯୋଗ୍ୟ ଇସ୍ପାତ ଜଳ ବୋତଲ ବଣ୍ଟନ କରିଛନ୍ତି । ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସ୍ବିଆଇ), ନୂଆପଡ଼ା ଶାଖା ପକ୍ଷରୁ କର୍ପୋରେଟ ସାମାଜିକ ଦାୟିତ୍ୱ (ସିଏସ୍ଆର୍) ପାଣ୍ଠିରୁ ଏହି ବୋତଲଗୁଡ଼ିକ ପ୍ରଦାନ କରାଯାଇଛି।ଏହି ଅବସରରେ ଜିଲ୍ଲାପାଳ କହିଥିଲେ ଯେ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସମ୍ପୂର୍ଣ୍ଣ ସିଙ୍ଗଲ୍-ୟୁଜ୍ ପ୍ଲାଷ୍ଟିକ ମୁକ୍ତ କରିବା ଜିଲ୍ଲା ପ୍ରଶାସନର ଏକ ପ୍ରମୁଖ ଲକ୍ଷ୍ୟ। ଏହି ବ୍ୟବସ୍ଥା ଅନୁଯାୟୀ ହସ୍ପିଟାଲରେ ଭର୍ତ୍ତି ହେଉଥିବା ପ୍ରତ୍ୟେକ ରୋଗୀଙ୍କୁ ବ୍ୟବହାର ପାଇଁ ଏକ ଇସ୍ପାତ ଜଳ ବୋତଲ ପ୍ରଦାନ କରାଯିବ ଏବଂ ରୋଗୀ ଡିସ୍ଚାର୍ଜ ହେବା ପରେ ବୋତଲଟି ଫେରସ୍ତ ନିଆଯିବ। ଏହା ଦ୍ୱାରା ହସ୍ପିଟାଲ ପରିସରରେ ଏକବାର ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ ବୋତଲର ବ୍ୟବହାର ହ୍ରାସ ପାଇବା ସହ ପରିବେଶ ଅନୁକୂଳ ଅଭ୍ୟାସକୁ ପ୍ରୋତ୍ସାହନ ମିଳିବ।
ଏସ୍ବିଆଇ ନୂଆପଡ଼ାର ମୁଖ୍ୟ ପ୍ରବନ୍ଧକ ଲିଙ୍କନ ଦାସ କହିଥିଲେ ଯେ, ପରିବେଶ ସୁରକ୍ଷା ଓ ସାମାଜିକ କଲ୍ୟାଣ ପ୍ରତି ବ୍ୟାଙ୍କ ସଦା ପ୍ରତିବଦ୍ଧ ରହିଛି। ସମାଜର ଆବଶ୍ୟକତା ଅନୁଯାୟୀ ଏଭଳି ଜନହିତକର କାର୍ଯ୍ୟକ୍ରମ ଆଗାମୀ ଦିନରେ ମଧ୍ୟ ଜାରି ରହିବ।
ଏହି ପଦକ୍ଷେପ ରୋଗୀ ସୁବିଧା ବୃଦ୍ଧି ସହିତ ପରିବେଶ ସୁରକ୍ଷା ଏବଂ ସିଙ୍ଗଲ୍-ୟୁଜ୍ ପ୍ଲାଷ୍ଟିକ ମୁକ୍ତ ଜିଲ୍ଲା ଗଠନ ଅଭିଯାନକୁ ଅଧିକ ସୁଦୃଢ଼ କରିବ ବୋଲି ପ୍ରକାଶ କରାଯାଇଥିଲା।
