ସୋର(ଜ୍ୟୋତି ପ୍ରକାଶ ଦୀକ୍ଷିତ): ବ୍ରିଜ ଗୋପାଲ କନଷ୍ଟ୍ରକ୍ସନ କମ୍ପାନୀର ଖାମାଖିଆଲି ନୀତି ପାଇଁ ଆଜି ଆଉ ଏକ ଜୀବନ ଚାଲି ଯାଇଛି। ବିନା ସୂଚନାରେ ଏକପାଖିଆ ରାସ୍ତା କାରଣରୁ ଏକ ଅଜଣା କଣ୍ଟେନର ଧକ୍କାରେ ଜଣେ ବାଇକ ଅରୋହୀଙ୍କର ମର୍ମନ୍ତୁଦ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ ଆଜି ଅପରାହ୍ଣରେ ସୋର ପୌରପାଳିକା ୧୦ ନଂ ୱାର୍ଡ ଅନ୍ତର୍ଗତ କମାଣପୁର ଗ୍ରାମର ହରିଶ ଚନ୍ଦ୍ର ମହାନ୍ତି (୨୧) ତାଙ୍କ କଳା ରଙ୍ଗର ହୋଣ୍ଡା ୟୁଉନିକନ୍ ନମ୍ବର (ଓଡି୦୧ଏଜେଡ୩୩୬୧ )ବିଶିଷ୍ଟ ବାଇକ ଯୋଗେ ଛପୁଲିଆ ନିକଟରେ ଥିବା ନିଜ ଇଟା ଫେକ୍ଟ୍ରିକୁ ଯାଉଥିଲେ। କୌଣସି ସୂଚନା ନଥାଇ ଏକ ପାଖିଆ ରାସ୍ତା ପାଇଁ ସେ ରାସ୍ତା ପାର ହେଉଥିବା ବେଳେ ଏକ ଅଜଣା ଟ୍ରକ ତାଙ୍କୁ ଧକା ଦେଇ ଫେରାର ହୋଇଯାଇଥିଲା। ଘଟଣା ସ୍ଥଳରେ ହରିଶଙ୍କର ମୃତ୍ୟୁ ହୋଇଥିବା ବେଳେ ପରିବାର ଲୋକେ ଖବର ପାଇ ରାସ୍ତା ଉପରେ ଶବକୁ ରଖି ଧାରଣାରେ ବସିଥିଲେ। ଖବର ଲେଖାଯିବା ପର୍ଯ୍ୟନ୍ତ ହରିଶଙ୍କ ପରିବାର ଲୋକେ ଧାରଣାରେ ବସିଥିବା ବେଳେ ଉଭୟ ପାର୍ଶ୍ୱ ରାସ୍ତା ସମ୍ପୂର୍ଣ ଭାବେ ଜାମ ଥିବା ଦେଖିବାକୁ ମିଳିଛି। ଖବର ପାଇ ସୋର ପୁଲିସ ଓ ସ୍ଥାନୀୟ ବିଧାୟକ ମାଧବ ଧଡା ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଥିବା ଦେଖାଯାଇଛି।
