ଭୂତ କୋଠି ସାଜିଛି ଅତିଥି ଭବନ : ଅବହେଳାରେ ନଷ୍ଟ ହେଉଛି ସରକାରୀ ସମ୍ପତ୍ତି
(ସରକାରୀ ଭବନ ପ୍ରତି କାହିଁକି ପ୍ରଶାସନର ଦୃଷ୍ଟି ପଡ଼ୁନାହିଁ ??? )
କେନ୍ଦୁଝର : ( ନରେଶ କୁମାର ପାତ୍ର) କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ପରିସରରେ ଥିବା ସରକାରୀ ଅତିଥି ଭବନ ଏବେ ଅବହେଳାର ଶିକାର ହୋଇ ଭୂତକୋଠିର ରୂପ ଧାରଣ କରିଛି। ଯେଉଁ ଭବନ କେବେ ସରକାରୀ ଅଧିକାରୀ, ଅତିଥି ଓ ବିଭିନ୍ନ ବିଭାଗର କର୍ମଚାରୀଙ୍କ ରହଣି ପାଇଁ ନିର୍ମାଣ କରାଯାଇଥିଲା, ଆଜି ସେହି ଭବନ ଅଯତ୍ନ ଓ ଅବ୍ୟବସ୍ଥା କାରଣରୁ ଜଙ୍ଗଲରେ ପରିଣତ ହୋଇପଡ଼ିଛି।
ଭବନ ଚାରିପାଖରେ ବଡ଼ ବଡ଼ ଗଛ, ଲତା ଓ ଅନାବନା ଘାସ ଘରକୁ ସମ୍ପୂର୍ଣ୍ଣ ଆବୃତ କରି ଦେଇଛି। ଦୀର୍ଘ ଦିନ ଧରି ସଫେଇ ନ ହେବାରୁ ପରିସର ଭିତରେ ସାପ, ବିଛା ସହ ବିଭିନ୍ନ ବିଷାକ୍ତ ଜନ୍ତୁଙ୍କ ବାସସ୍ଥାନ ପାଲଟିଥିବା ସ୍ଥାନୀୟ ଲୋକଙ୍କ ଅଭିଯୋଗ। ଭବନର କାନ୍ଥ ଫାଟି ଯାଇଥିବା ବେଳେ ରଙ୍ଗ ଛାଡ଼ି ଯାଇଛି, କବାଟ ମଧ୍ୟ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି।
ସବୁଠାରୁ ବଡ଼ ପ୍ରଶ୍ନ ହେଉଛି, ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ଏହି ସରକାରୀ ଭବନ ପ୍ରତି କାହିଁକି ପ୍ରଶାସନର ଦୃଷ୍ଟି ପଡ଼ୁନାହିଁ ? ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ଅତିଥି ଭବନ ରକ୍ଷଣାବେକ୍ଷଣ ଅଭାବରୁ ଧୀରେ ଧୀରେ ନଷ୍ଟ ହେବାକୁ ବସିଛି। ଏହା ସରକାରୀ ଅର୍ଥର ଅପଚୟ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି।
ସ୍ଥାନୀୟ ଅଞ୍ଚଳବାସୀଙ୍କ ଦାବି ହେଉଛି, ତୁରନ୍ତ ଭବନ ପରିସର ସଫେଇ କରାଯାଇ ଆବଶ୍ୟକ ମରାମତି କାମ କରାଯାଉ। ଏହା ସହିତ ଅତିଥି ଭବନକୁ ପୁନର୍ବାର କାର୍ଯ୍ୟକ୍ଷମ କରାଯାଇ ସରକାରୀ କାମରେ ବ୍ୟବହାର କରାଗଲେ ସରକାରୀ ସମ୍ପତ୍ତିର ସୁରକ୍ଷା ସହ ଲୋକଙ୍କ ମଧ୍ୟ ଉପକାର ହେବ।
ବର୍ତ୍ତମାନ ଦେଖିବାକୁ ବାକି ରହିଲା, ସାହାରପଡା ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ଏହି ଅବହେଳିତ ଅତିଥି ଭବନ ପ୍ରତି କେବେ ଦୃଷ୍ଟି ଦେଉଛନ୍ତି ଏବଂ ଏହାର ପୁନରୁଦ୍ଧାର ପାଇଁ କେଉଁ ପଦକ୍ଷେପ ନେଉଛନ୍ତି।
