ମାଲକାନଗିରି – ୨୮/୦୬/୨୦୨୬
( ସୁକୁମାର ମଣ୍ଡଳ)
ହୁତୁ ହୁତୁ ହୋଇ ଜଳିଗଲା ମାଲକାନଗିରି ବସ ଷ୍ଟାଣ୍ଡ ପାଖର ଶିଶୁ ଉଦ୍ୟାନ ।
ଗତ କାଲି ବିଳମ୍ବିତ ରାତିରେ ମାଲକାନଗିରି ସଦର ମହକୁମା ବସ ଷ୍ଟାଣ୍ଡ ପରିସର ମଧ୍ୟରେ ରହିଥିବା ଶିଶୁ ଉଦ୍ୟାନରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି । ହୁତୁ ହୁତୁ ହୋଇ ଜଳୁଥିବା ଏହି ଅଗ୍ନିର ପ୍ରକୋପ ଏତେ ଅଧିକ ଥିଲା ଯେ ଏହାକୁ ସମ୍ପୂର୍ଣ୍ଣ ଭାବରେ ଆୟତ୍ତ କରିବା ପାଇଁ ଅଗ୍ନିଶମ ବାହିନୀକୁ ପାଖା ପାଖି ଦୀର୍ଘ ତିନି ଘଣ୍ଟା ଧରି କଠିନ ପରିଶ୍ରମ କରିବାକୁ ପଡ଼ିଥିଲା । ସୂଚନା ମୁତାବକ ବସ ଷ୍ଟାଣ୍ଡ ପରିସର ମଧ୍ୟରେ ଥିବା ଶିଶୁ ଉଦ୍ୟାନରେ କିଛି ପୁରୁଣା ଟାୟାର ରଖା ଯାଇଥିଲା । ପ୍ରଥମେ ସେହି ଟାୟାର ଗୁଡ଼ିକରେ ନିଆଁ ଲାଗି ଥିଲା ଏବଂ ଦେଖୁ ଦେଖୁ ଏହା ଭୟଙ୍କର ରୂପ ଧାରଣ କରି ସମଗ୍ର ପରିସରକୁ ବ୍ୟାପି ଯାଇଥିଲା । ଏ ଦୃଶ୍ୟ ସ୍ଥାନୀୟ ଲୋକେ ଦେଖି ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର କରିଥିଲେ,ଅଗ୍ନିଶମ ବାହିନୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ନିୟନ୍ତ୍ରଣ ତଥା ଲିଭାଇବାରେ ନିୟୋଜିତ ହୋଇଥିଲେ । ତେବେ ଏହି ଅଗ୍ନିକାଣ୍ଡ କେଉ କାରଣରୁ ଏବଂ କେମିତି ଲାଗିଲା ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନାହିଁ । ଏହି ଘଟଣାର ସୂଚନା ପାଇବା ମାତ୍ରେ ମାଲକାନଗିରି ଆଦର୍ଶ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୋଲିସର ସୂଚନା ମୁତାବକ ବସ ଷ୍ଟାଣ୍ଡ ପରିସର ମଧ୍ୟରେ ଚୋର ମାନଙ୍କର ପ୍ରାଦୁର୍ଭାବ ବଢିବା ସହ ଅସାମାଜିକ ବ୍ୟକ୍ତି ମାନଙ୍କ ଗତିବିଧି ଲକ୍ଷ୍ୟ କରାଯାଉଛି । ରାତି ସମୟରେ ଏହି ପରିସରରେ ଅସାମାଜିକ ବ୍ୟକ୍ତିଙ୍କ ଗତିବିଧି ରହିଥିବାରୁ ଏଭୋଲି ଅଗ୍ନିକାଣ୍ଡ ଘଟି ଥାଇପାରେ ବୋଲି ଅଞ୍ଚଳବାସୀ ସନ୍ଦେହ କରୁଛନ୍ତି । ମାଲକାନଗିରି ଆଦର୍ଶ ଥାନା ପୋଲିସ ବସ ଷ୍ଟାଣ୍ଡ ଉପରେ କଡ଼ା ନଜର ରଖିଛି ।
ମାଲକାନଗିରିରୁ ସୁକୁମାର ମଣ୍ଡଳଙ୍କ ରିପୋର୍ଟ ଭଞ୍ଜଦୂତ ଖବର।
