ସୋରରେ ବାରମ୍ବାର ବିଡ଼ିଓ ପରିଚୟ ଦେଇ ଟଙ୍କା ଏବଂ ମୋବାଇଲ ଲୁଟ୍; ସନ୍ଦେହ ଘେରରେ ସାଇବର ଅପରାଧୀ
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର): ସୋର ରେ ଚାଲିଛି ନକଲି ବିଡ଼ିଓ ଟ୍ରେଣ୍ଡ। ଭକୁଆ ହେଉଛନ୍ତି ସାଧାରଣ ଜନତା। ସୋର ଥାନା କେଦାରପୁର ପଞ୍ଚାୟତରେ ଦୁଇ ଜଣ ଯୁବକ ବିଡ଼ିଓ ପରିଚୟ ଦେଇ ସୁନା ଗହଣା, ମୋବାଇଲ ଲୁଟି ନେଇଥିବା ନେଇ ସୋର ଥାନାରେ ଅଭିଯୋଗ ହୋଇଛି। ସୂଚନା ଅନୁସାରେ ଏହି ଗ୍ରାମର ସରସ୍ବତୀ ପ୍ରଧାନଙ୍କ ଘର ନିକଟରେ ଦୁଇ ଜଣ ଯୁବକ ଏକ ପଲସର ବାଇକରେ ପହଞ୍ଚି ବିଡ଼ିଓ ପରିଚୟ ଦେଇ ତାଙ୍କର ଇନ୍ଦିରା ଆବାସ ଘର କରିବା ପାଇଁ ପ୍ରବର୍ତ୍ତାଇଥିଲେ।କିନ୍ତୁ ସରସ୍ବତୀଙ୍କ ନିକଟରେ ଟଙ୍କା ନ ଥିବାରୁ ସେ ଘର କରିବା ପାଇଁ ଅସହାୟତା ପ୍ରକାଶ କରିଥିଲେ। ଫଳରେ ଉକ୍ତ ଯୁବକ ଦ୍ବୟ ସୁନା ଋଣ କରିଦେବା ପାଇଁ କହି କଣ ସୁନା ଗହଣା ଦେଖାଅ ବୋଲି କହିଥିଲେ। ଏଥିରେ ସରସ୍ବତୀ ରାଜି ନ ହେବାରୁ ଘରେ ଥିବା ତାଙ୍କ ଝିଅ ଉଷସୀଙ୍କୁ ଜୀବନରୁ ମାରିଦେବାକୁ ଧମକାଇ ଥିଲେ। ଫଳରେ ଉଷସୀ ଅନ୍ୟ ଉପାୟ ନ ପାଇ ସେ ପିନ୍ଧିଥିବା ସୁନା ମଙ୍ଗଳସୂତ୍ର, ସୁନା ପଲା ଏବଂ ଏକ ସୁନା ମୁଦି ତାଙ୍କୁ କାଢି ଦେଇଥିଲେ। ଯୁବକ ଦ୍ବୟ ଯିବା ବେଳେ ଉଷସୀଙ୍କ ଭିଭୋ ମୋବାଇଲ ଫୋନ ଟିକୁ ସାଥିରେ ନେଇ ଫେରାର ହୋଇଯାଇଥିଲେ। ଏ ବାବଦରେ ଉଷସୀ ସୋର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ସୂଚନା ଯୋଗ୍ୟ ଗତ କିଛି ଦିନ ତଳେ ତୁଣ୍ଡପଡ଼ା ଗ୍ରାମରୁ ବିଡ଼ିଓ ପରିଚୟ ଦେଇ ଏହି ଭଳି ଭାବେ ଲୁଟ ହୋଇଥିବା ବେଳେ ଗ୍ରାମାଞ୍ଚଳର ଲୋକ ମାନଙ୍କୁ ଏହି ଭଳି ଭାବରେ ଲୁଟୁଛନ୍ତି।ତେବେ ପୁଲିସ ଉକ୍ତ ଲୁଟେରାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବୀ ହୋଇଛି।
