ରକ୍ତରେ ଭିଜିଲା ରଜ, ମା କୁ ହତ୍ୟା କଲା ପୁଅ
ବନ୍ତ,(ନିପ୍ର) ରଜ ପର୍ବର ମାହୋଲ ରେ ସମସ୍ତେ ମତୁଆଲା ଥିବା ବେଳେ ୧୦ ମାସ ୧୦ ଦିନ ଗର୍ଭରେ ଧରି ଜନ୍ମଦାତ୍ରୀ ମାଆକୁ ସାମାନ୍ୟ ପାରିବାରିକ କଳହରୁ କୁରାଢ଼ୀରେ ହତ୍ୟା କରିଛି ପୁଅ । ଏହିପରି ଦୁଃଖଦ ଲୋମହର୍ଷଣକାରୀ ଅଘଟଣ ଘଟିଛି ବନ୍ତ ଥାନା ଅନ୍ତର୍ଗତ ଜିରିଣା ସ୍ଥିତ ଗୋଡ଼ିଆ ସାହୀରେ । ପୋଲିସ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖି ତଦନ୍ତ ଜାରୀ ରଖିଛି । ଏହି ସଂପର୍କରେ ଥାନା କେସ ନଂ ୧୯୨/୨୬ରେ ଏକ ମାମଲା ରୁଜ୍ଜୁ କରିଛି । ସୂଚନାନୁଯାୟୀ,ରଜ ପାଇଁ ମାଆ ମମତା ସାହୁ ଘରୋଇ କାର୍ଯ୍ୟରେ ବ୍ୟସ୍ତ ଥିବାବେଳେ ହଠାତ୍ ପୁଅ ପ୍ରୀତମ ସାହୁ ଘରେ ଥିବା ଏକ କୁରାଢ଼ିରେ ହାଣି ହତ୍ୟା କରିଥିଲା । ପ୍ରୀତମଙ୍କର ଗତ କିଛିଦିନ ଧରି ମାନସିକ ଅବସ୍ଥା ଭଲ ନଥିଲା । ଏହି ଘଟଣା ଘଟିବା ପରେ ଗାଁ ଲୋକ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ଶବ ଜବତ୍ କରି ପୋଷ୍ଟମର୍ଟମ ପାଇଁ ଭଦ୍ରକ ପଠାଇବା ସହ ହତ୍ୟାକାଣ୍ଡରେ ବ୍ୟବହୃତ କୁରାଢ଼ୀ କୁ ଜବତ୍ କରିବା ସହ ଅଭିଯୁକ୍ତ ପୁଅଙ୍କୁ ଥାନାରେ ଅଟକ ରଖି ଅଧିକ ପଚରା ଉଚୁରା କରୁଛି । ଏହି ଅଘଟଣ ଘଟିବା ପରେ ଓଡ଼ିଆଙ୍କ ପବିତ୍ର ରଜ ଉତ୍ସବ ର ସମସ୍ତ ଆନନ୍ଦ, ଉଲ୍ଲାସ ଏହି ଗାଁରେ ପାଣି ଫୋଟକା ପରି ମିଳାଇ ଯାଇଛି ।
